ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ମହାକାଶଚାରୀ ଅର୍ଥାତ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଗସ୍ତ କରିଥିବା ଦେଶର ପ୍ରଥମ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଭାରତ ଆସିବାର ସମ୍ଭାବନା ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ଦିନ ସୂଚନା ପ୍ରଦାନ କରିଛନ୍ତି।
ତେବେ ଶୁଭାଂଶୁ ଦିଲ୍ଲୀରେ ରହିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ତାଙ୍କ ପରିବାରକୁ ଭେଟିବା ପାଇଁ ଲକ୍ଷ୍ନୌ ଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେ ଜାତୀୟ ମହାକାଶ ଦିବସ ପାଳନରେ ଅଂଶଗ୍ରହଣ କରିବା ପାଇଁ ଅଗଷ୍ଟ ୨୩ରେ ଦିଲ୍ଲୀ ଫେରିପାରନ୍ତି ବୋଲି ଜଣାପଡିଛି।
ଜୁନ୍ ୨୫ରେ ଫ୍ଲୋରିଡାରୁ ଉଡ଼ାଣ ଭରିବାପରେ ଜୁନ୍ ୨୬ରେ ଆଇଏସଏସ ସହିତ ସଂଯୋଗ ହୋଇଥିବା ଆକ୍ସିଅମ୍-୪ ପ୍ରାଇଭେଟ୍ ସ୍ପେସ୍ ମିଶନର ଅଂଶ ଥିଲେ ଶୁଭାଂଶୁ। ୧୮ ଦିନିଆ ଏହି ମିଶନରେ ସେ ଆମେରିକାର ପେଗି ହ୍ୱିଟସନ୍, ପୋଲାଣ୍ଡର ସ୍ଲାଭୋଜ୍ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର୍ କାପୁଙ୍କ ସହିତ ୬୦ରୁ ଅଧିକ ପରୀକ୍ଷଣ ଏବଂ ୨୦ଟି ଜନସମ୍ପର୍କ ଅଧିବେଶନ କରିଥିଲେ। ତେବେ ଆକ୍ସିଅମ୍-୪ ମିଶନର କ୍ରୁ କୁ ନେଇ ଡ୍ରାଗନ୍ ମହାକାଶଯାନ ଜୁଲାଇ ୧୫ରେ ସାନ ଡିଏଗୋ ଉପକୂଳ ନିକଟରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା।
Comments are closed.