Latest Odisha News

BREAKING NEWS

ଆଇପିଏଲ: ଦିଲ୍ ଭାଙ୍ଗିଲା ଦିଲ୍ଲୀବାସୀଙ୍କର, ୬ ଓ୍ବିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଘରୋଇ ପିଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ତେବେ ଗୁଜରାଟ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଗୁଜୁରାଟ ଚଳିତ ଆଇପିଏଲରେ ଦ୍ବିତୀୟ ମ୍ଯାଚ ବିଜୟୀ ହୋଇଛି।

ଗୁଜରାଟରୁ ଡାଭିଡ ମିଲର ୧୬ ବଲରେ ୩୧ ରନ୍ କରିଥିଲେ। ଯେଉଁଥିରେ ୨ଟି ଚୌକା ଓ ୨ଟି ଛକ୍କା ସାମିଲ ଥିଲା। ସେହିପରି ସାଇ ସୁଦର୍ଶନ ୪୮ ବଲରେ ୬୪ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ଓ ୨ଟି ଛକ୍କା ମାରିଥିଲେ। ଯାହା ଦଳକୁ ଜିତାଇବାରେ ଗୋଟିଏ ବଡ଼ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ଗୁଜୁରାଟ ୧୮.୧ ଓଭରରେ ମ୍ୟାଚ ଜିତିଛି। ଦିଲ୍ଲୀ ଟିମରୁ ଏନରିକ୍ ନୋର୍କିଆ ୨ ୱିକେଟ୍ ନେଇଥିଲେ ଏବଂ ଖାଲିଲ ଅହମ୍ମଦ ଏବଂ ମିଚେଲ ମାର୍ଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୨ ରନ କରି ୮ଟି ଓ୍ୱିକେଟ ହରାଇଥିଲେ। ସରଫରାଜ ଖାନ ୩୭ ଏବଂ ଅକ୍ଷର ପଟେଲ ୩୬ ରନ୍ କରିଥିଲେ। ଅନ୍ୟପକ୍ଷରେ ଗୁଜୁରାଟରୁ ମହମ୍ମଦ ଶାମି ଏବଂ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଲଜାରୀ ଜୋସେଫ ୨ଟି ୱିକେଟ୍ ନେଇଛନ୍ତି।

ଉଭୟ ଦଳ ଦୁଇଟି ପରିବର୍ତ୍ତନ ସହିତ ଆଜିର ମ୍ୟାଚ୍‌ ଖେଳିଥିଲେ। ଗୁଜୁରାଟ ଟିମରେ ଡେଭିଡ ମିଲର ଏବଂ ସାଇ ସୁଦର୍ଶନ ସାମିଲ ହୋଇଥିଲେ। ଏଥି ସହ ୱିକେଟ୍ କିପର ଅଭିଷେକ ପୋରେଲ ଏବଂ ଏନରିକ୍ ନୋର୍କିଆ ମଧ୍ୟ ଦିଲ୍ଲୀ ପାଇଁ ଡେବ୍ୟୁ କରିଥିଲେ।

Comments are closed.