Latest Odisha News

ପରଲୋକରେ ମହାଭାରତର ‘ଶକୁନି ମାମୁ’ ଗୁଫି ପେଣ୍ଟଲ

ମୁମ୍ବାଇ:ଶେଷ ଶଯ୍ୟାରେ ମହାଭାରତର ଶକୁନି । ବିଆର ଚୋପ୍ରାଙ୍କ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କର ଆଜି ୭୮ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇ ଯାଇଛି ।

ଗୁଫି ପେଣ୍ଟଲଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯୟୀ, ଆଜି ସକାଳେ ତାଙ୍କର ପରଲୋକ ହୋଇ ଯାଇଛି । ଶେଷ ସମୟରେ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ଗୁଫିଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେଲା  ଗୁରୁତର ହୋଇ ପଡ଼ିଥିଲା । ମେ’ ୩୧ ତାରିଖରେ  ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନକ ଥିଲା  ।

୧୯୮୦ରେ ଘରେ ଘରେ ଅତି ଲୋକପ୍ରିୟ ହୋଇଥିବା ବିଆର ଚୋପ୍ରାଙ୍କ ମହାଭାରତ ସିରିଏଲରେ ଶକୁନି ଭୂମିକାରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଥିଲେ ।  ଆର୍ମିରେ ଚାକିରୀ କରୁଥିବା ଗୁଫି ଶକୁନି ଭୂମିକା କରିବା ପରେ ଆଉ ଅଭିନୟ ଦୁନିଆ ଛାଡି ଯାଇପାରି ନ ଥିଲେ । ଆର୍ମିରେ ଥିବା ବେଳେ ସେ ରାମ ଲୀଳାରେ ସୀତା ଭୂମିକା କରିଥାନ୍ତି ।

ମହାଭାରତ ବ୍ୟତୀତ ଗୁଫି ବଲିଉଡରେ ଅନେକ ଫିଲ୍ମରେ ବି ଅଭିନୟ କରିଛନ୍ତି । ସେ ସତ୍ତେ ପେ ପତ୍ତା, ରଫୁ ଚକ୍କର, ପରିଚୟ, ଦିଲ୍ଲଗି, ଦେଶ ପରଦେଶ ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ମହାଭାରତ ବ୍ୟତୀତ ଆଉ ଏକ ଲୋକପ୍ରିୟ ଟିଭି ସରିଏଲ ଭାରତ କା ବୀର ପୁତ୍ର, ମହାରାଣା ପ୍ରତାପା ଇତ୍ୟାଦିରେ ମଧ୍ୟ ଅଭିନୟ କରିଛନ୍ତି ।  ଏହାବ୍ୟତୀତ  ଅନେକ ଟିଭି ସିରିଏଲ ମଧ୍ୟ ନିର୍ଦ୍ଦେଶକ ଥିଲେ ।  ଶ୍ରୀ ଚୈତନ୍ୟ ମହାପ୍ରଭୁ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହାବ୍ୟତୀତ ସେ ଆଶୋସିଏଟେଡ ଡାଇରେକ୍ଟର, କାଷ୍ଟିଂ ଡାଇରେକ୍ଟର ଏବଂ ପ୍ରଡକ୍ସନ ଡିଜାଇନର ଭାବେ ମଧ୍ୟ କାମ କରିଥିଲେ ।

Comments are closed.