Latest Odisha News

BREAKING NEWS

ବିଧାନସଭା ଉପନିର୍ବାଚନ: ଭୋଟ ଦେଇପାରିବେ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିପାଇଁ ଆକଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ ଗଠନ କରିବାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, କୋଭିଡ-୧୯ ଗାଇଡଲାଇନ୍‌କୁ ପାଳନ କରି ଉପନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ଏକ ଚ୍ୟାଲେଂଜ ରହିବ । ଏଥିସହ ସାମାଜିକ ଦୂରତ୍ୱ, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ହ୍ୟାଣ୍ଡଗ୍ଲୋବ୍ସ, ସାନିଟାଇଜରର ଉପଯୋଗ ଓ ଭୋଟରଙ୍କ ମଧ୍ୟରେ ବ୍ୟାପକ ସଚେତନା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ପରାମର୍ଶ ଦେଇଛନ୍ତି ।

ସିଇଓ ସୂଚନା ଦେଇ କହିଛନ୍ତି ଯେ କୋଭିଡ଼ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷ ପର‌୍ୟ୍ୟାୟରେ ମତଦାନ କରିବାକୁ ସେମାନଙ୍କ ଅନୁମତି ଦିଆଯିବ । ଅତିରିକ୍ତ ବୁଥ୍ ଗଠନ ଉପରେ ଗୁରୁତ୍ୱ ଦିଆଯିବ । ଭୋଟର ଓ ନିୟୋଜିତ କର୍ମଚାରୀଙ୍କ ପାଇଁ ସଚେତନତା କାର‌୍ୟ୍ୟକ୍ରମ ହେବ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ । ନିର୍ବାଚନ ସମୟରେ ସମସ୍ତ କୋଭିଡ଼ ନିୟମ ପାଳନ କରାଯିବ । ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବେ ବୋଲି ସୁଶୀଲ ଲୋହାନୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଦୁଇଟି ବିଧାନସଭା ଉପନିର୍ବାଚନ ପ୍ରକ୍ରିୟାକୁ ନଭେମ୍ବର ୨୯ ତାରିଖ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ସହ ଶେଷ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଏହି ବୈଠକ ବସିଥିଲା ।

Leave A Reply

Your email address will not be published.