ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ଗୁଜରାଟ ଟାଇଟନ୍ସ ନୂତନ ବ୍ୟାଟିଂ କୋଚ ଭାବେ ମାଥ୍ୟୁ ହେଡେନଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ହେଡେନ ଅଷ୍ଟ୍ରେଲିଆ ଟିମର ଏକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ୨ ଥର ଦିନିକିଆ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ଗୁଜରାଟ ଟାଇଟାନ୍ସ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛି । ଫ୍ରାଂଚାଇଜର ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି କହିଛନ୍ତି ହେଡେନଙ୍କ ଉପସ୍ଥିତି ଯୁବ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରାଇବାରେ ସହାୟ ହେବ । ଗୁଜରାଟ ଏଥର ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛି ।
ମାଥ୍ୟୁ ୱାଡେ କୋଚିଂ ଷ୍ଟାଫଙ୍କ ମଧ୍ୟରେ ରହିବେ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ଅନୁସାରେ ହେଡେନଙ୍କ ଏଂଟ୍ରି ପରେ ୱାଡେ ବିଦା ହେବା ଏକପ୍ରକାର ନିଶ୍ଚିତ । ହେଡେନ ୩ଟି ଯାକ ଫର୍ମାଟରେ ଅଷ୍ଟ୍ରେଲିଆ ପକ୍ଷରୁ ୨୭୩ ମ୍ୟାଚ ଖେଳିଛନ୍ତି । ସେ ୧୫୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୩୨ ମ୍ୟାଚ ଖେଳିଛନ୍ତି । ଏଥର ତାଙ୍କୁ ନୂଆ ଭୂମିକାରେ ପ୍ରଶଂସକମାନେ ଦେଖିବେ ।