ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ଓଡିଶା ଶୋଚନୀୟ ଭାବେ ଗୁଜରାଟ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ୱିକେଟ ବିନିମୟରେ ୩୩୩ ରନ ସଂଗ୍ରହ କରିଥିଲା । ଆର୍ଯ୍ୟ ଦେଶାଇ(୫୪), ଉର୍ଭିଲ ପଟେଲ(୬୪), ଆହାନ ପୋଦ୍ଦାର(୬୪) ଓ ଅକ୍ଷର ପଟେଲ(୭୩) ଅର୍ଦ୍ଧଶତକ ହାସଲ କରିଥିଲେ । ଓଡିଶା ପକ୍ଷରୁ ବିପ୍ଲବ ସାମନ୍ତରାୟ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ଜବାବରେ ଓଡିଶା ୨୮.୧ ଓଭରରେ ୧୦୦ ରନ କରି ଅଲଆଉଟ ହେବା ସହ ୨୩୩ ବୃହତ ବ୍ୟବଧାନରେ ପରାଜିତ ହୋଇଥିଲା । ଯାହାକି ଓଡିଶା ପ୍ରଶଂସକଙ୍କୁ ନିରାଶ କରିଛି ।
ବିପ୍ଲବ ଦଳ ପକ୍ଷରୁ ସର୍ବାଧିକ ୨୨ ରନ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଚିନ୍ତନ ଗାଜା ଏକାକୀ ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ସେ ୩୧ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ୬ ମ୍ୟାଚରୁ ୧୨ ପଂଏଟ ହାସଲ କରି ଓଡିଶା ଏବେ ଗ୍ରୁପ ଡି ପଂଏଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି ।