ନୂଆଦିଲ୍ଲୀ: ଭାରତର ଷ୍ଟାର ହକି ଖେଳାଳି ଗୁରଜନ୍ତ ସିଂ ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି । ଭାରତୀୟ ହକିର ଜଣେ ଭଲ ଫରୱାର୍ଡ ଖେଳାଳି ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୨୨ ଏସିଆନ ଗେମ୍ସ ଓ ୨୦୧୬ ଜୁନିୟର ହକି ବିଶ୍ୱକପ ବିଜେତା ଟିମର ସଦସ୍ୟ ଥିଲେ । ସେ ୨୦୨୦ ଓ ୨୦୨୪ ଅଲିମ୍ପିକ୍ସ ଟିମରେ ମଧ୍ୟ ସ୍ଥାନ ପାଇଥିଲେ । ଭରଇମାନଙ୍କୁ ହକି ଖେଳୁଥିବା ଦେଖି ସେ ୨୦୦୫ରେ ସେ ଚଣ୍ଡୀଗଡ ହକି ଏକାଡେମୀରେ ଯୋଗ ଦେଇଥିଲେ । ୨୦୧୧ରେ ସୁରଜିତ ହକି ଏକାଡେମୀରେ ପରେ ପ୍ରଶିକ୍ଷଣ ନେଇଥିଲେ । ଖୁବ କମ ସମୟରେ ସେ ଘରୋଇ ହକି ପ୍ରତିଯୋଗିତାରେ ଏକ ପରିଚିତ ଚେହେରା ପାଲଟି ଯାଇଥିଲେ ।
୨୦୧୬ରେ ସେ ଜୁନିୟର ହକି ବିଶ୍ୱକପ ଟିମରେ ସ୍ଥ୍ାନ ପାଇଥିଲେ । ବେଙ୍ଗାଲୁରର ସାଇ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଭାରତ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଜର୍ମାନୀର ମହାନ ହକି ଖେଳାଳି ଫ୍ଲୋରିୟନ ଫୁଚସ ତାଙ୍କୁ ମିଷ୍ଟର ବ୍ୟାକହ୍ୟାଣ୍ଡ ନାମ ଦେଇଥିଲେ । ସିନିୟର ଟିମ ପକ୍ଷରୁ ସେ ୨୦୧୭ରେ ବେଲଜିୟମ ବିପକ୍ଷରେ ଖେଳିଥିଲେ । ପରେ ଖରାପ ଫର୍ମ ଯୋଗୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ତାଙ୍କୁ ସ୍ଥାନ ମିଳି ନ ଥିଲା । ୨୦୨୦ ଏଫଆଇଏଚ ପ୍ରୋ ଲିଗରେ ସେ ନେଦରଲାଣ୍ଡ ବିପକ୍ଷରେ ମାତ୍ର ୧୩ ସେକେଣ୍ଡରେ ଦ୍ରୁତ ଗୋଲ ସ୍କୋର କରିଥିଲେ । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହା ଦ୍ରୁତତମ ଥିଲା ।