ଭୁବନେଶ୍ୱର:ଓଡ଼ିଶାରେ କାୟା ବିସ୍ତାର କରୁଛି H3N2 । ମାର୍ଚ୍ଚରେ ୬୨ଟି ନମୂନା ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୨ଟି ପଜିଟିଭ ଆସିଛି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୬୧ ଛୁଇଁଲା । ଆରଏମଆରସି (Regional Medical Research Centre)ର କହିବା ଅନୁଯାୟୀ, ଜାନୁଆରୀରୁ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ରାଜ୍ୟରେ ୬୧ H3N2- ପଜେଟିଭଙ୍କୁ ଚିହ୍ନଟ କରାଯାଇଛି । ମାର୍ଚ୍ଚ ୧ ତାରିଖ ସୁଦ୍ଧା ୨୨୫ ନମୂନା ପରୀକ୍ଷା କରାଯାଇଥିବାବେଳେ ୫୯ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ସର୍ବେକ୍ଷଣ ଆରମ୍ଭ କରି ଦେଇଛନ୍ତି । ବ୍ୟକ୍ତିଗତ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗହଳି ସ୍ଥାନକୁ ନ ଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । H3N2 ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।
H3N2 ଆକ୍ରାନ୍ତ ରୋଗୀଙ୍କ ଲକ୍ଷଣ କୋଭିଡ ଲକ୍ଷଣ ପରି । ରୋଗୀଙ୍କୁ ଜ୍ୱର ହେବା ସହ କାଶ ହେଉଛି । ଏଥିସହ ଶ୍ୱାସ ଜନିତ ସମସ୍ୟା ବି ଦେଖା ଯାଉଛି । ଏପରି ଲକ୍ଷଣ ଦେଖି ଲୋକେ ପ୍ରଥମେ କୋଭିଡ ଟେଷ୍ଟ କରାଉଛନ୍ତି । ଯଦି କୋଭିଡ ନେଗେଟିଭ ଆସୁଛି ତେବେ H3N2 ଟେଷ୍ଟ କରାଉଛନ୍ତି । ତେବେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବା ଅନୁଯାୟୀ H3N2କୁ ନେଇ ଭୟ କରିବାର କିଛି ନାହିଁ । ଏହା ଇନଫ୍ଲୁଏଞ୍ଜା ପରି ଏକ ରୋଗ ।
ଡାକ୍ତର ମିଶ୍ର କହିଛନ୍ତି, H3N2 ଭାଇରସ ଜଣେ ସାଧାରଣ ଏବଂ ସୁସ୍ଥ ଲୋକଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । କିନ୍ତୁ ଯଦି ଲକ୍ଷଣ ୮ ଦିନ ଧରି ଲଗାତାର ଲାଗି ରୁହେ ତେବେ ଡାକ୍ତରୀର ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଭାଇରସ ଅଧିକ ଦିନ ଲାଗି ରହିଲେ ନିମୋନିଆ ହେବାର ଆଶଙ୍କା ରହିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି ।
H3N2 ପଜିଟିଭକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଏକ ଜନସଚେତନ ପତ୍ର ସୋସିଆଲ ମିଡିଆରେ ଜାରି କରାଯାଇଛି । ଏଥିରେ ଲୋକଙ୍କୁ ହାଣ୍ଡସେକ କରିବା ପାଇଁ ବାରଣ କରାଯାଇଛି । ଏଥିସହିତ ପାଟି ଏବଂ ନାକକୁ ବାରମ୍ବାର ଛୁଇଁବାକୁ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଛେପ ପକାଇବକୁ ବାରଣ କରାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବାକୁ ମଧ୍ୟ ବାରଣ କରାଯାଇଛି ।
Comments are closed.