Latest Odisha News

ବିଦେଶୀ କମ୍ପାନି ହାତକୁ ଯାଇପାରେ ଘରେ ପରିଚିତ ‘ହଲଦୀରାମ୍

ନୂଆଦିଲ୍ଲୀ: ବିଦେଶୀ କମ୍ପାନି ହାତକୁ ଯାଇପାରେ ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି ‘ହଲଦୀରାମ୍’ । ପୂର୍ବରୁ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ ଉଠିଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଦେଶର ୩ଟି ବଡ଼ ବଡ କମ୍ପାନି ଏହାର ପୂରା ବ୍ୟବସାୟ କିଣିବାକୁ ବିଡ୍ ଦାଖଲ କରିଛନ୍ତି। ଏହି କମ୍ପାନୀ ଗୁଡିକ ହେଉଛନ୍ତି ପ୍ରାଇଭେଟ୍‌ ଇକ୍ବିଟି ସଂସ୍ଥା ବ୍ଲାକ୍‌ଷ୍ଟୋନ୍, ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି ଓ ସିଙ୍ଗାପୁରର ଜିଆଇସି ।

ବ୍ଲାକଷ୍ଟୋନ ଦୁଇଟି କମ୍ପାନୀର କନସୋର୍ଟିୟମ ସହ ମିଶି ହଳଦୀରାମ୍ ବ୍ୟବସାୟର ୭୬ ପ୍ରତିଶତ କିଣିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୮ରୁ ୮.୫ ବିଲିୟନ ଡଲାରର ଟେଣ୍ଡର କରାଯାଇଛି। ଏହି ଚୁକ୍ତି ସମ୍ପୂର୍ଣ୍ଣ ହେଲେ ଏହା ଦେଶର ସର୍ବବୃହତ୍ ଘରୋଇ ଇକ୍ୱିଟି ଡିଲ୍ ହେବ। ତେବେ ହଲଦୀରାମ ସ୍ନାକ୍ସ ବିଜନେସର ମୂଲ୍ୟ ୮.୫ ଆରବ ଡଲାର । ପୂର୍ବରୁ ବେନ୍ କ୍ୟାପିଟାଲ୍‌, ୱାରବର୍ଗ ପିନ୍‌କସନ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ମଧ୍ୟ ଏହାକୁ କିଣିବାକୁ ଉଦ୍ୟମ କରିଥିଲେ। କହିରଖୁଛୁ ଯେ ଗତ ବର୍ଷ ଟାଟା ଗ୍ରୁପ ହଲଦୀରାମକୁ କିଣିବା ପାଇଁ ଚେଷ୍ଟା କରୁଥିବା କଥା ଶୁଣିବାକୁ ମିଳିଥିଲା । ସେତେବେଳେ କମ୍ପାନୀର ମୂଲ୍ୟ ୧୦ ଆରବ ଡଲାରର ଆକଳନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ହଲଦୀରାମ ୧୯୩୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାର ମୁସୁମୁସିଆ (କ୍ରିସ୍ପି) ‘ଭୁଜିଆ’ ସ୍ନାକ୍ସ ବଜାରରେ ଖୁବ୍ ଲୋକପ୍ରିୟ ହୋଇଥିଲା। ରାଜସ୍ଥାନର ବିକାନେରରେ ଏକ ମିଠାଦୋକାନ ଭାବେ ହଲ୍‌ଦୀରାମର ଯାତ୍ରା ଆରମ୍ଭ କରିଥିଲେ ଶିବକିଷନ ଅଗ୍ରୱାଲ୍ । ୮୭ ବର୍ଷ ପୁରୁଣା ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଦେଶର ସବୁଠାରୁ ପୁରୁଣା ସ୍ନାକ୍ସ କମ୍ପାନି। ହଲ୍‌ଦୀରାମ ବର୍ତ୍ତମାନ ଦୁଇଟି ଭାଗରେ ଅଗ୍ରୱାଲ୍‌ ପରିବାରର ଦୁଇଟି ବର୍ଗ ଦ୍ବାରା ପରିଚାଳିତ ହେଉଛି। ନାଗପୁରରେ ରହୁଥିବା ପରିବାରର ଲୋକମାନେ ହଲ୍‌ଦୀରାମ୍‌ ଫୁଡ୍‌ସ ଇଣ୍ଟରନ୍ୟାସନାଲ୍‌ର ଦେଖାଶୁଣା କରୁଛନ୍ତି। ଦିଲ୍ଲୀରେ ରହୁଥିବା ସଦସ୍ୟମାନେ ହଲ୍‌ଦୀରାମ ସ୍ନାକ୍ସର ପରିଚାଳନା କରୁଛନ୍ତି। ହଲଦୀରାମସ୍ କେବଳ ଭାରତୀୟ ବଜାରର ଚାହିଦାକୁ ପୂରଣ କରେ ନାହିଁ। ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଦେଶୀ ବଜାରରେ ଏହି ବ୍ରାଣ୍ଡ ଭଲ ବିକ୍ରି ହୋଇଥାଏ। ସମଗ୍ର ବିଶ୍ୱରେ ଏହାର ୧୫୦ରୁ ଅଧିକ ରେସ୍ତୋରାଁ ରହିଛି।

Comments are closed.