Latest Odisha News

କବିସୂର୍ଯ୍ୟନଗରରୁ ଅପହରଣ, ପାଟପୁରରୁ ମିଳିଲା ଅର୍ଦ୍ଧଦଗ୍ଧ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପାଟପୁର ଥାନା ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିବା ଘଟଣା ସାରା ଜିଲାରେ ଆଲୋଡ଼ନ ଖେଳାଇ ଦେଇଛି। ଅପହରଣ ପରେ ହତ୍ୟା ଏବଂ ହତ୍ୟା ପ୍ରମାଣକୁ ଲୁଚାଇବା ପାଇଁ ଶବକୁ ଜାଳି ଦିଆଯାଇଥିବା ଅନୁମାନ କରାଯାଉଛି ।

ତେବେ କିଏ ଏହି ଘଟଣା ପଛରେ ରହିଛି, ତାହାକୁ ନେଇ ଖୋଳତାଡ଼ କରୁଛି ପୋଲିସ।

ମୃତକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ .ଗୋବିନ୍ଦପୁର ଗ୍ରାମର ୩୫ ବର୍ଷୀୟ ଟୁଟୁ ନାହାକ। ଟୁଟୁ ଶନିବାର ଅପରାହ୍ନ ୨ଟା ବେଳେ ଗାଁ ବାହାରେ ବୁଲାବୁଲି କରୁଥିଲେ । ଏତିକି ବେଳେ ତିନିରୁ ଚାରି ଯୁବକ ଏକ ଜାଇଲୋ କାର୍‌ରେ ଆସି ଅପହରଣ କରି ନେଇଥିବା ପରିବାର ଲୋକେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ।

ଏନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଥାନାରେ ୨୯୪/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ । ଶନିବାର ସନ୍ଧ୍ୟାରେ ପାଟପୁର ଥାନା ଅଞ୍ଚଳର ଝରଣ ଗ୍ରାମ ନିକଟ କାଜୁ ଜଙ୍ଗଲରେ କେତେକ ଦୁର୍ବୃତ୍ତ ଏକ କାର୍‌ରେ ପହଞ୍ଚିଥିଲେ ।

ସେମାନେ ଏକ ଶବକୁ ପେଟ୍ରୋଲ୍‌ ଢ଼ାଳି ପୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଅଞ୍ଚଳବାସୀ ଦେଖିନେଇଥିଲେ । ସେଠାରେ ଭଲିବଲ ଖେଳୁଥିବା କିଛି ଯୁବକ ଦେଖିବା ପରେ ଦୁବୃର୍ତ୍ତମାନେ କାରରେ ଚମ୍ପଟ ମାରିଥିଲେ ।

ଏନେଇ ସ୍ଥାନୀୟ ଗ୍ରାମବାସୀ ପାଟପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ରାତିରେ ଶବକୁ ଜଗି ରହିବା ସହ ତନାଘନା କରିଥିଲେ । ରବିବାର ସକାଳୁ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ବିଭିନ୍ନ ପୋଲିସ ଥାନାକୁ ଖବର ଦିଆଯାଇଥିଲା ।

ଏହି ସୂଚନା କବିସୂର୍ଯ୍ୟନଗର ଥାନାରେ ପହଞ୍ଚିବା ପରେ ପୋଲିସ ତରଫରୁ ଟୁଟୁଙ୍କ ପରିବାର ବର୍ଗଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଚିହ୍ନଟ କରିଥିଲେ ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ଦଳାଇ, ଆସିକା ଏସଡିପିଓ ଉମାଶଙ୍କର ସିଂ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପହଞ୍ଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲେ ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଟୁଟୁଙ୍କୁ କେଉଁମାନେ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ ପରେ ହତ୍ୟା କରିଛନ୍ତି, ତାହାକୁ ନେଇ ଅନୁସନ୍ଧାନ ଜାରି ରହିଛି ।​‌

ତେବେ ଟଙ୍କା ଦେଣନେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

Leave A Reply

Your email address will not be published.