ମୁମ୍ବାଇ; ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ l ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର ହେଉଛନ୍ତି କୋହଲି । ଆଉ ଆଜି ହେଉଛି ବିରାଟଙ୍କ ଜନ୍ମଦିନ l 36 ବର୍ଷ ବଯସରେ ପାଦ ଥାପିଛନ୍ତି କୋହଲି । ଏଥି ପାଇଁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ବିରାଟ ଆଉ ପତ୍ନୀ ଅନୁଷ୍କାଙ୍କ ଭିତରେ ଥିବା ପ୍ରେମସମ୍ପର୍କ କେବେଠୁ ଆରମ୍ଭ ହୋଇଥିଲା ହୁଏତ ତାହା ବହୁ କମ ଲୋକ ଜାଣିଥିବେ l
ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ଆଉ ଅନୁଷ୍କା ଶର୍ମା ହେଉଛନ୍ତି ବଲିଉଡର ଆଗଧାଡ଼ିର ନାୟିକା। ଉଭୟଙ୍କ ପ୍ରଫେସନ ଅଲଗ ହେଲେ ମଧ୍ୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଥିଲା କ୍ରିକେଟ ସହ ବଲିଉଡ। ୨୦୧୩ରେ ଏକ ଟିଭି ସିରିଏଲ ପାଇଁ ବିଜ୍ଞାପନ ସୁଟିଂରେ ଏକାଠି ହୋଇଥିଲେ ଏହି ଦୁଇ ସେଲିବ୍ରିଟି। ଏହି ସୁଟିଂ ସେଟ୍ ହିଁ ଉଭୟଙ୍କ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ। ପ୍ରଥମ ଦେଖାରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ବନ୍ଧୁତା। ପରେ ଏହି ବନ୍ଧୁତା ନିବିଡ଼ ହୋଇଯାଇଥିଲା। ଶେଷରେ ବନ୍ଧୁତା ପ୍ରେମର ରୂପ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦୁଇ ପ୍ରେମୀଯୁଗଳ l ତେବେ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ବିରାଟ-ଅନୁଷ୍କା ପ୍ରଥମେ ଅସ୍ବୀକାର କରୁଥିଲେ। ହେଲେ ୨୦୧୪ରେ ସବୁକିଛି ଖୁଲାସା ହୋଇ ଯାଇଥିଲା।
୨୦୧୪ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା। ବିରାଟ କୋହଲି ବି ଯାଇଥିଲେ ମ୍ୟାଚ ଖେଳିବା ପାଇଁ। ବିରାଟଙ୍କ ପଛେପଛେ ଅନୁଷ୍କା ବି ଯାଇଥିଲେ ନ୍ୟଜିଲାଣ୍ଡରେ ପହଞ୍ଚିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହୋଇଥିଲା। ବିରାଟ-ଅନୁଷ୍କାଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଲା।
୨୦୧୪ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯାଇଥିଲା। ସେଠାରେ ଚାଲିଥିବା ଦିନିକିଆ ମ୍ୟାଚରେ ବିରାଟ ୬ ହଜାର ରନ୍ ପୂରଣ କରିଥିବା ଖୁସିରେ ଖେଳ ପଡ଼ିଆରୁ ଫ୍ଲାଇଙ୍ଗ୍ କିସ୍ ଦେଇଥିଲେ। ଆଉ ଏହି କିସ୍ ଗାର୍ଲ ଫ୍ରେଣ୍ଡ ଅନୁଷ୍କାଙ୍କ ପାଇଁ ଥିଲା ବୋଲି ଚର୍ଚ୍ଚା ହେଉଥିଲା l ଏହାପରେ ବିରାଟ ଏବଂ ଅନୁଷ୍କାଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥିଲା। ସେହିପରି ୨୦୧୫ ମାର୍ଚ୍ଚ ୧୭ ରେ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ଏନ୍ ଏଚ୍-୧୦’ ରିଲିଜ ହୋଇଥିଲା l ଆଉ ସେତେବେଳେ କ୍ରିକେଟ ମଇଦାନ ଛାଡ଼ି ବିରାଟ ଅନୁଷ୍କାଙ୍କ ଫିଲ୍ମ ଦେଖିଥିଲେ। ଏପରିକି ଫିଲ୍ମକୁ ପ୍ରଶଂସା କରିବା ସହ ‘ମାଇ ଲଭ୍’ ବୋଲି ଟ୍ବିଟ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା l
୨୦୧୫ ୱାର୍ଲଡ କପ୍ରେ ଭାରତ ଜିତାପଟ କରି ସେମି ଫାଇନାଲରେ ପହଞ୍ଚିଥିଲା। ସିଡନୀରେ ହେବାକୁ ଥିବା ସେମିଫାଇନାଲ ଦେଖିବା ପାଇଁ ଅନୁଷ୍କା ପହଞ୍ଚିଥିଲେ ଗ୍ୟାଲେରୀରେ। ହେଲେ ସେମି ଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା ଏବଂ ବିରାଟ ବି ଭଲ ପ୍ରଦର୍ଶନ କରିପାରି ନଥିଲେ। ଏଥିପାଇଁ ଦର୍ଶକ ଅନୁଷ୍କାଙ୍କୁ ଦାୟୀ କରିଥିଲେ। ଅନୁଷ୍କାଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ସେତେବେଳେ ମ୍ୟାଚ ହାରିବା ପାଇଁ ଅନୁଷ୍କାଙ୍କୁ ଦାୟୀ କରାଯାଉଥିବାରୁ ବିରାଟ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ। ଶେଷରେ ପ୍ରେମର ଦୀର୍ଘ ୪ ବର୍ଷ ପରେ ୨୦୧୭ ମସିହା ଡିସେମ୍ବର ୧୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l