ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ସାଥୀ ଖେଳାଳିଙ୍କ ବୟାନ ଏବେ ଦିନକୁ ଦିନ ଚର୍ଚ୍ଚାର କାରଣ ସାଜୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ହରଭଜନ ସିଂ ମଧ୍ୟ ତାଙ୍କ ସମ୍ପର୍କରେ ବୟାନ ଦେଇଛନ୍ତି । ଧୋନୀଙ୍କ ସହ ସମ୍ପର୍କକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ହରଭଜନ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଧୋନୀ ଏବଂ ମୁଁ ପରସ୍ପର ସହିତ କଥା ହେଉ ନାହୁଁ । ତାଙ୍କୁ ନେଇ ମୋର କୌଣସି ସମସ୍ୟା ନାହିଁ । ସେ ମୋର ବନ୍ଧୁ ନୁହନ୍ତି । ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପରେ ଉଭୟ ଭାରତୀୟ ଦଳର ଅଭିନ୍ନ ଅଙ୍ଗ ଥିଲେ । ଧୋନୀ ଦଳର ନେତୃତ୍ୱ ନେଇଥିବା ବେଳେ ହରଭଜନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।
୨୦୧୮ ଓ ୧୯ରେ ଧୋନୀଙ୍କ ନେତୃତ୍ୱରେ ହରଭଜନ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ଷ୍ଟାଡିୟମରେ ଖେଳ ସମୟରେ ଯାହା କିଛି ଆଲୋଚନା ହୁଏ ଏହା ପରେ ଆମ ଭିତରେ ସେ ଭଳି କିଛି ସମ୍ପର୍କ ନ ଥିଲା । ସେ ମୋ ରୁମକୁ କେବେ ଆସି ନାହାନ୍ତି କି ମୁଁ ଯାଇନି । ମୋର ଗୋଟିଏ ପ୍ରକୃତି ଯିଏ ମୋ ଫୋନ କଲକୁ ଗୁରୁତ୍ୱ ଦିଏନି ତାଙ୍କ ସହିତ ମୁଁ କଥା ହୁଏନି । ମୁଁ କେବଳ ମୋ ବନ୍ଧୁଙ୍କ ସହ ସମ୍ପର୍କ ରଖିବାକୁ ଭଲ ପାଏ । ଉଭୟ ପକ୍ଷର ସହଯୋଗ ଓ ଆନ୍ତରିକତା ନ ରହିଲେ ସମ୍ପର୍କ ନିବୀଡ ହୋଇ ପାରେନି । ୨୦୨୧ରେ ହରଭଜନ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୨୦୧୫ ବିଶ୍ୱକପ ପରେ ହରଭଜନ ଏବଂ ଯୁବରାଜ ସିଂଙ୍କୁ ଭାରତୀୟ ଦଳକୁ ବାହାର କରି ଦିଆଯାଇଥିଲା । ୨୦୧୫ ପରେ ସେ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ । ୨୦୨୧ରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।