Latest Odisha News

BREAKING NEWS

ରେକର୍ଡ ସୃଷ୍ଟି କରିବା ପାଇଁ ହାର୍ଦ୍ଦିକଙ୍କ ନିକଟରେ ରହିଛି ସୁଯୋଗ

ଦୁବାଇ: ଲମ୍ବା ବ୍ରେକ ପରେ ଏବେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ କ୍ରିକେଟ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଦୁବାଇରେ କଡା ଅଭ୍ୟାସ ଆରମ୍ଭ କରିଦେଇଛି । ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଭାରତ ଏସିଆ କପ ଟାଇଟଲ ହାସଲ କରିଥିଲା । ଭାରତର ଏହି ଷ୍ଟାର ଅଲରାଉଣ୍ଡର ଟି୨୦ ଇତିହାସରେ ବିଶ୍ୱର ତୃତୀୟ ଖେଳାଳି ଭାବେ ଏକ ବଡ ଉପଲବ୍ଧି ହାସଲ କରିବା ନିକଟତର ହୋଇଛନ୍ତି ।

୩୨ ବର୍ଷୀୟ ହାର୍ଦ୍ଦିକ ୧୧୪ ଟି୨୦ ମ୍ୟାଚରେ ୧୮୧୨ ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୪୧ରୁ ଊର୍ଦ୍ଧ୍ୱ ରହିଛି । ୨୦୦୦ ରନ ପୂର୍ଣ୍ଣ କରିବା ପାଇଁ ତାଙ୍କୁ ଆଉ ୧୮୮ ରନର ଆବଶ୍ୟକତା ରହିଛି । ଏସିଆ କପରେ ସେ ଏହି ରନ ହାସଲ କରିନେବେ ବୋଲି ଆଶା କରାଯାଉଛି । ସେହିପରି ସେ ୱିକେଟରେ ଶତକ ହାସଲ କରିବା ପାଇଁ ଆଉ ୬ଟି ୱିକେଟର ଆବଶ୍ୟକତା କରୁଛନ୍ତି । ଟି୨୦ କ୍ରିକେଟରେ ୨ ଜଣ ଖେଳାଳି ୨୦୦୦ରୁ ଊର୍ଦ୍ଧ୍ୱ ରନ ଓ ୧୦୦ ୱିକେଟ ଅକ୍ତିଆର କରିଛନ୍ତି ।

ବାଂଲାଦେଶର ଶକୀବ ଉଲ ହାସନ ୨୫୫୧ ରନ ଓ ୧୪୯ ୱିକେଟ ନେଇ ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ଆଫଗାନିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ମହମ୍ମଦ ନବୀ ୨୨୪୬ ରନ ଓ ୧୦୧ ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହାର୍ଦ୍ଦିକ ଏବେ ତୃତୀୟ ସ୍ଥାନ ହାସଲ କରିବା ପାଇଁ ନିକଟତର ହୋଇଛନ୍ତି ।

Comments are closed.