Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା, ଶୁଭାରମ୍ଭ ହେଲା ‘ହରିତ ଯୋଗ’

ଭୁବନେଶ୍ୱର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଧାରଣ ଯୋଗ ଅଭ୍ୟାସ । ପ୍ରାୟ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସହିତ ଆସନ୍ତା ୨୧ ଜୁନ୍‌ ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି।

ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ କହିଛନ୍ତି, ଯୋଗ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି ଏବଂ ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଏକ ସୁସ୍ଥ ବିଶ୍ୱ ପାଇଁ ଭାରତର ବିଚାର ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ରଖିଛନ୍ତି। ଏହି ବିଷୟବସ୍ତୁ ସମଗ୍ର ବିଶ୍ୱ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିଥାଏ ବୋଲି ଶ୍ରୀ ଯାଧବ କହିଥିଲେ। ସେହିପରି ‘ହରିତ ଯୋଗ’ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ମାନ୍ୟବର ମନ୍ତ୍ରୀ କହିଛନ୍ତି, ‘‘ଆମର ସ୍ୱାସ୍ଥ୍ୟ, ଆମ ଗ୍ରହର ସ୍ୱାସ୍ଥ୍ୟ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ। ଯେପରି ଯୋଗ ଆମ ମନ ଏବଂ ଶରୀରକୁ ପୋଷଣ ଦେଇଥାଏ, ସେହିପରି ବୃକ୍ଷରୋପଣ ପୃଥିବୀକୁ ପୋଷଣ କରିଥାଏ, ଯାହା ଆଗାମୀ ପିଢ଼ି ପାଇଁ ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିଥାଏ।

‘ହରିତ ଯୋଗ’ ଯୋଗ ଦିବସ ୨୦୨୫ର ୧୦ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅଂଶବିଶେଷ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମିଶି ହରିତ ଯୋଗର ଶୁଭାରମ୍ଭ ଅବସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଆୟୁଷ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ନିଶାନ୍ତ ମେହରାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଆଜିର ଯୋଗ ମହୋତ୍ସବରେ ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମୋରାରଜି ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର କାଶୀନାଥ ସମାଗଣ୍ଡିଙ୍କ ନେତୃତ୍ୱରେ ୬,୦୦୦ ଯୋଗପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ଯୋଗ ଅଭ୍ୟାସ କରିଥିଲେ। ଏହି ଯୋଗ ଅଭ୍ୟାସରେ ଯୋଗ ନିଦ୍ରା, ପ୍ରାଣାୟାମ, ଧ୍ୟାନ ଆଦିର ପ୍ରଦର୍ଶନ କରାଯାଇଥିଲା। ପ୍ରତ୍ୟେକ ଯୋଗ ମୁଦ୍ରା ଦୃଢ଼ତା, ଶକ୍ତି, ସନ୍ତୁଳନ ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ହରିତ ଯୋଗ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ୬୦୦୦ରୁ ଅଧିକ ଔଷଧିୟ ଉଦ୍ଭିଦ ବିତରଣ କରାଯାଇଥିଲା। ଏହି ପ୍ରୟାସ ଯୋଗ ସହିତ ପରିବେଶ ସଚେତନତାକୁ ଯୋଡ଼ି ପାରିଛି।

 

Comments are closed.