Latest Odisha News

BREAKING NEWS

କଣ ପାଇଁ କେତେକ ଲୋକ ଚକ, ମାଟି, କାଗଜ ଓ ରବର ଖାଇଥାନ୍ତି ?

ଭୁବନେଶ୍ୱର: ଆମ ଅନେକ ଲୋକଙ୍କୁ ଦେଖିଛେ, ଯେଉଁମାନେ ଚକ ଖଡି, ରବର, କାଗଜ ଓ ମାଟି ପରି ଅଖାଦ୍ୟ ଖାଇଥାନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ତେବେ ସେମାନେ କାହିଁକି ଏହାକୁ ଖାଆନ୍ତି ? ଏହି କ୍ଷେତ୍ରରେ ଜିଭର ଲାଳସାର ପ୍ରଶ୍ନ ଉଠୁ ନାହିଁ, ତେବେ ସେମାନଙ୍କର କଣ ମତିଭ୍ରମ ହୋଇଛି । ଡାକ୍ତରଙ୍କ ଅନୁସାରେ ଏହି ଅଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କୁ ଇଟିଂ ଡିସଅର୍ଡର ହୋଇଛି । ଏହା ପିକା ଡିସଅର୍ଡର ଭାବେ ମେଡିକାଳ ସାଇନ୍ସରେ ପରିଚିତ । ପିକା ପକ୍ଷୀ ଭୋକ ଲାଗିଲେ ଯାହା ପାଏ ତାହା ଖାଇ ଦିଏ, ଏପରିକି ଏ ନେଇ ତାର ମୃତ୍ୟୁ ମଧ୍ୟ ଘଟିଥାଏ ।

ସେଥିପାଇଁ ଏହି ରୋଗର ନାମ ଏପରି ରଖାଯାଇଛି । ବାରମ୍ବାର ଅଖାଦ୍ୟ ଖାଇବା ଦ୍ୱାରା ଏହି ରୋଗୀମାନେ ଅଜଣାତରେ ମୃତ୍ୟୁର ନିକଟତର ହୋଇଥାନ୍ତି । ଏବେ ନିକଟରେ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଶରୀରରେ ଆଇରନର ଅଭାବ ହେଲେ ରୋଗୀମାନେ ଏ ଭଳି ଆଚରଣ କରିଥାନ୍ତି । ମସ୍ତିଷ୍କ ଏହି ଅଭାବକୁ ପୂରଣ କରିବା ପାଇଁ ଶରୀରକୁ ଏ ଭଳି ପଦାର୍ଥ ଖାଇବାକୁ ପ୍ରେରିତ କରିଥାଏ । ଧିରେ ଧିରେ ରୋଗୀଙ୍କ କ୍ଷେତ୍ରରେ ଏହା ଅଭ୍ୟାସରେ ପରିଣତ ହୋଇ ଯାଇଥାଏ । ଛୋଟ ପିଲା ଏବଂ ପ୍ରେଗନେଂଟ ମହିଳାମାନେ ମଧ୍ୟ ଏ ଭଳି ଆଚରଣ କରିଥାନ୍ତି ।

ଛୋଟ ପିଲାମାନେ ଜିଜ୍ଞାସା ଓ କୌତହଳ ବଶତଃ ଏହି ଖାଦ୍ୟ ଖାଇବା ଆରମ୍ଭ କରିଥାନ୍ତି । ସେହିପରି ପ୍ରେଗନେଂଟ ମହିଳା ଆଇରନ ଏବଂ ହର୍ମୋନାଲ ଅସନ୍ତୁଳିତ ଯୋଗୁ ଏ ଭଳି ଖାଦ୍ୟ ଖାଇଥାନ୍ତି । ବିଶେଷ କରି ମାଟି ଏବଂ ଚକ ଖାଇବାକୁ ସେମାନ ଭଲ ପାଇଥାନ୍ତି । ଏହା ଦ୍ୱାରା ଶରୀରର ପାଚକ ତନ୍ତ୍ର ନଷ୍ଟ ହୋଇଯିବା ଆଶଙ୍କା ରହିଛି । ଡାକ୍ତରଙ୍କ ଅନୁସାରେ ଶରୀରରେ ଯେପରି ଆଇରନ ନ କମିବ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ପରାମର୍ଶ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଏହି ଅଭାବ ପୂରଣ କରାଯାଇ ପାରିବ । ସେହିପରି ଅଭ୍ୟାସ ଭାଙ୍ଗିବା ପାଇଁ ମନୋ-ବୈଜ୍ଞାନିକଙ୍କ ପରାମର୍ଶ ମଧ୍ୟ ନେବା ବୁଦ୍ଧିମାନର କାମ ହେବ ।

Comments are closed.