Latest Odisha News

BREAKING NEWS

ହାଥରସ ଦୁର୍ଘଟଣା: ଭୋଲେ ବାବାଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି ଜଣାପଡିଛି। ସେପଟେ ଏଯାଏଁ ଭୋଲେ ବାବା ଓ ତାଙ୍କ ସହିତ ତାଙ୍କର ମୁଖ୍ୟ ଆୟୋଜକଙ୍କ ପତ୍ତା ମିଳୁନାହିଁ । ଯାହାକୁ ନେଇ ବଡ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ପୋଲିସ୍ । ସେମାନଙ୍କୁ ଖୋଜି ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ପୋଲିସ ଘୋଷଣା କରିଛି। ଏଥିସହିତ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଗୋପନ ରଖାଯିବ ।

ତେବେ କହିରଖୁଛୁ, ଉତ୍ତରପ୍ରଦେଶର ହାଥରସ ସହରରେ ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଏହି ଘଟଣା ପରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ପୋଲିସ।  ଏବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ଅଭିଯୁକ୍ତ ‘ଭୋଲେ ବାବା’ କିନ୍ତୁ ଘଟଣା ପରେ ଫେରାର ଅଛନ୍ତି । ଯାହାକୁ ଖୋଜିବା ପାଇଁ ଏଭଳି ପ୍ରୟାସ କରିଛି ପୋଲିସ୍ ।

ତେବେ ଯେଉଁ ଆତ୍ମଘୋଷିତ ବାବାଙ୍କ ସତସଙ୍ଗରେ ଦଳାଚକଟା ହେଲା ସେହି ବାବା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ପୋଲିସର ଜଣେ ପୂର୍ବତନ କନେଷ୍ଟବଳ । ଯାହାଙ୍କର ପ୍ରକୃତ ନାମ ସୂରଜପାଲ ଜାଟବ । କନେଷ୍ଟବଳ ଚାକିରି କରୁଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ଜେଲ ବି ଯାଇଥିଲେ ସୂରଜପାଲ । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ବିରୋଧରେ ସୂରଜପାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ସେ ୨୦୦୨ରେ ଭିଆରଏସ ନେଇ ନିଜକୁ ବାବା ଘୋଷିତ କରି ସୂରଜପାଲରୁ ନାରାୟଣ ସାକାର ହରି ଭାବେ ପରିଚିତ ହେଲେ । ଏହା ସହିତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଭୋଲେ ବାବାଙ୍କ ଅନେକ ଆଶ୍ରମ ରହିଛି । ସୋସିଆଲ ମିଡିଆଠାରୁ ଦୂରରେ ରହିଥିବା ଏହି ବାବାଙ୍କର କାଳେ ଅନୁଗାମୀ କ୍ରେଜ୍ ଅଧିକ ।  ଆହୁରି ମଧ୍ୟ ଅନୁଗାମୀମାନେ ତାଙ୍କୁ ଭୋଲେ ବାବା ବୋଲି କୁହନ୍ତି । ହାଥରସ ଦଳାଚକଟା ପରେ କୁଆଡେ ଫେରାର ହୋଇଛନ୍ତି ଆତ୍ମଘୋଷିତ ଭୋଲେ ବାବା ।

ତେବେ ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆହୁରି ମଧ୍ୟ ଏନେଇ ରୁଜୁ ହୋଇଥିବା ମାମଲାରେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଉଲ୍ଲେଖ ଅଛି। ସେହିପରି ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ମଧ୍ୟ ଦାଖଲ କରାଯାଇଛି। ତେବେ ବାବାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ ।

Leave A Reply

Your email address will not be published.