ତାମିଲନାଡ଼ୁ: ସମସ୍ତେ କିଙ୍ଗ୍ କୋବ୍ରାକୁ ଦେଖିଥିବେ ନିଶ୍ଚୟ । ଏହି ସାପ ଦୁନିଆର ସବୁଠାରୁ ଅଧିକ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ଯଦି ଏହା ଛିଡା ହୁଏ ତେବେ ଲୋକଙ୍କ ମୁଣ୍ଡକୁ ସିଧାସଳଖ ଚୋଟ ମାରିପାରେ । ପ୍ରାୟତଃ ଏହାର ଶରୀରର ରଙ୍ଗ କଳା କିମ୍ବା ଧୁସର ରଙ୍ଗ ହୋଇଥାଏ । କିନ୍ତୁ ଆପଣ କେବେ ଧଳା ରଙ୍ଗର କୋବ୍ରା ଦେଖିଛନ୍ତି କି? ତାମିଲନାଡ଼ୁରେ ଏବେ ଏକ ଧଳା ରଙ୍ଗର କୋବ୍ରା ଠାବ କରାଯାଇଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଏହାର ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଠାବ ହୋଇଥିବା ଏହି କୋବ୍ରା ସାପଟି ସମ୍ପୂର୍ଣ୍ଣ ଧଳା । ଏହାକୁ ଆଲବିନୋ କୋବ୍ରା ବୋଲି କୁହାଯାଇଥାଏ । ଏହି ସାପକୁ ତାମିଲନାଡୁର କୋଏମ୍ବାଟୁରର ଏକ ଘର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ବନ୍ୟଜନ୍ତୁ ଏବଂ ପ୍ରକୃତି ସଂରକ୍ଷଣ ଟ୍ରଷ୍ଟର କର୍ମଚାରୀମାନେ ଏହାକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ । ପ୍ରାୟ ପାଞ୍ଚ ଫୁଟ ଲମ୍ବର ଏହି ସାପର ରଙ୍ଗ ଧଳା, କାରଣ ଏହାର ଚର୍ମରେ ଏକ ପ୍ରକାର ରାସାୟନିକ କ୍ଷରଣ ମେଲାନିନର ଅଭାବ ରହିଛି । ମେଲାନିନ ହ୍ରାସ ହେତୁ ଚର୍ମର ରଙ୍ଗ କ୍ଷୀର ଭଳି ଧଳା ହୋଇଯାଏ । ଏବେ ଏହି ପ୍ରଜାତିର ସାପ ବିଲୁପ୍ତ ହେବାକୁ ଯାଉଛନ୍ତି ।
ଗତ ବର୍ଷ ଅକ୍ଟୋବରରେ ପୁଣେରେ ଏପରି ଏକ ସାପ ଦେଖିବାକୁ ମିଳିଥିଲା । ଧଳା ରଙ୍ଗ ଏବଂ ନାଲି ଆଖି ଥିବା ଏହି କୋବ୍ରା ଅନ୍ୟ ସାଧାରଣ ସାପ ତୁଳନାରେ ଅତ୍ୟଧିକ ବିଷାକ୍ତ । ଏହା ବହୁତ ଦ୍ରୁତ ଗତିରେ ଚାଲିପାରନ୍ତି । ଆଲବିନୋ ଦୁନିଆର ୧୦ଟି ବିରଳ ପ୍ରାଣୀ ମଧ୍ୟରେ ଗଣାଯାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ କେବଳ ୮ ରୁ ୧୦ ଧଳା କୋବ୍ରା ଦେଖାଯାଇଛି ।
ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୋବ୍ରା ଏହିପରି ହୋଇପାରେ କି ନାହିଁ ପ୍ରଶ୍ନ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ପ୍ରକୃତରେ ଏହା ବହୁତ ସୁନ୍ଦର ଦେଖାଯାଉଛି । ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, ଏହା ବନାଞ୍ଚଳରେ ବଞ୍ଚିିବାରେ ସକ୍ଷମ ହେବ ତ ? କାରଣ ଏହା ଏକ ବିଶେଷ ପ୍ରଜାତିର ଜୀବ , ଯାହା ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସ୍ଥାନରେ ରହିବାକୁ ପସନ୍ଦ କରି ନ ପାରେ । ଆଉ ଜଣେ କହିଛନ୍ତି, ଏହାର ସୌନ୍ଦର୍ଯ୍ୟ ସୁନ୍ଦର ହୋଇପାରେ, ହେଲେ ଏହା ଦୁନିଆର ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ ।
Comments are closed.