Latest Odisha News

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଡେଙ୍ଗାଗୁଡା ଗାଁର ଅର୍ଜୁନ ମାଝୀ ଦୁଇ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । ଗତକାଲି ମେଡିକାଲରୁ ଘରକୁ ଆସିଥିବା ବେଳେ ଆଜି ମୃତ୍ୟୁ ହୋଇଛି । ଏବେ ବି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ହଇଜାର ହଟସ୍ପଟ ପାଲଟିଥିବା କାଶୀପୁର ଯାଇ ଆକ୍ରାନ୍ତଙ୍କ ପରିବାରକୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଦୁଇ ମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ କାଶୀପୁର ବ୍ଲକର ବିଭିନ୍ନ ଗାଁରେ ହଇଜା ଆକ୍ରାନ୍ତଙ୍କୁ ଭେଟିଛନ୍ତି । ମେଡିକାଲରେ ଚିକିତ୍ସିତ ଆକ୍ରାନ୍ତଙ୍କୁ ଭେଟି ଆଲୋଚନା କରିଛନ୍ତି । ଏବେ କାଶୀପୁର ବ୍ଲକର ଚାରିଟି ମେଡିକାଲରେ ୭୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଡେଙ୍ଗାଗୁଡା, କପାଡାଙ୍ଗ, ମଲ୍ଲୀଝରଣ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ହଇଜା ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଥିବା କହିଛନ୍ତି ମନ୍ତ୍ରୀ ।

ଦୂଷିତ ପାଣି ଯୋଗୁ ହଇଜା ବ୍ୟାପିଥିବା ବେଳେ ଏବେ ବି ଲୋକେ ଦୂଷିତ ଜଳ ବ୍ୟବହାର କରୁଛନ୍ତି । ଟ୍ୟାଙ୍କରରେ ଜଳ ଯୋଗାଣ ହେଉଥିଲେ ବି ତାହା ସମୁଦ୍ରକୁ ସଙ୍ଖେ । ପ୍ରତିବର୍ଷ କାଶୀପୁରରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.