Latest Odisha News

BREAKING NEWS

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ନର୍ସଙ୍କ ଧାରଣା, ଚିକିତ୍ସା ସେବା ବାଧାପ୍ରାପ୍ତ

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସାମ୍ନାରେ ସଂଘବଦ୍ଧ ହୋଇ ନର୍ସମାନେ ଧାରଣା ଦେବା ଯୋଗୁଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଏଠାରେ ୫ ଦିନ ପୂର୍ବରୁ ଜଣେ ରୋଗୀଙ୍କ ସମ୍ପର୍କୀୟ ନର୍ସଙ୍କୁ ପିଟିବା ନେଇ ଅଭିଯୋଗ ହୋଇଛି, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ନର୍ସମାନେ ପ୍ରାୟ ୫ ଘଣ୍ଟା ଧରି ଧାରଣାରେ ବସିରହିଥିଲେ ।

ଏହି ଡ଼ାକ୍ତରଖାନାରେ ମେ ୧୦ ତାରିଖ ଦିନ ପ୍ରମିଳା ମହାନ୍ତି ନାମ୍ନୀ ଜଣେ ମହିଳା ସନ୍ତାନ ପ୍ରସବ କରିବା ପରେ ତାଙ୍କଠାରୁ ରୀତା ହାତୀ ନାମକ ଜଣେ ଷ୍ଟାଫ ନର୍ସ ୧୦୦୦ ଟଙ୍କା ମାଗିଥିବାର ଅଭିଯୋଗ ହୋଇଥିଲା । ମାତ୍ର ପୀଡ଼ିତାଙ୍କ ସମ୍ପର୍କୀୟ ଏତେଟଙ୍କା ଦେଇ ନପାରି ମାତ୍ର ୩୦୦ ଟଙ୍କା ଦେଇଥିଲେ । ତେବେ ଏହାକୁ ନେଇ ଷ୍ଟାଫ ନର୍ସ ଏବଂ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାର ପ୍ରତିବାଦ କରି ନର୍ସମାନେ ସମୂହଭାବେ କାର୍ଯ୍ୟବନ୍ଦ କରିଦେଇଛନ୍ତି ।

ଏହି ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ପୋଲିସ, ପ୍ରଶାସନ ତଥା ମେଡ଼ିକାଲ କଲେଜ ସୁପରିଟେଣ୍ଟେଣ୍ଟଙ୍କଠାରୁ ଆଶ୍ୱାସନା ପାଇବା ପରେ ନର୍ସମାନେ କାର୍ଯ୍ୟରେ ଯୋଗଦେଇଥିଲେ ।

“ନର୍ସ ମାନଙ୍କୁ ନିରାପତ୍ତା ଯୋଗାଇଦେବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ”, ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ଷ୍ଟାଫ ନର୍ସ ଆସୋସିଏସନ ସମ୍ପାଦିକା ସସ୍ମିତା ରାୟ ।

ଇତିମଧ୍ୟରେ ରୋଗୀମାନେ ଡ଼ାକ୍ତରଖାନାରେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । “ମୁଁ ଆମ ରୋଗୀଙ୍କ ପାଇଁ ରକ୍ତ ନେବାକୁ ଜଳେଶ୍ୱରରୁ ଏଠାକୁ ଆସିଥିଲି, ମାତ୍ର କେହି ଷ୍ଟାଫ ନଥିବାରୁ ରୋଗୀ ଏବେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି, ତେଣୁ ମୁଁ ଏଠାରୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛି ।” ଏହି କଥା କହିଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଆଣିଥିବା ଜଣେ ବ୍ୟକ୍ତି ।

Leave A Reply

Your email address will not be published.