Latest Odisha News

୪୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ପାଲଟିଲା ଏସିଆ ମହାଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସହରରେ ବୁଧବାର ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲା ରାଜ୍ୟରେ ଲଗାତର ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହେ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି।

ଓଡ଼ିଶାର ବାରିପଦା, ସମ୍ବଲପୁର, ବୌଦ୍ଧ, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ ଆଦି ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି। ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଖରା ଅନୁଭୂତ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରହିଛି।

ଆଇଏମଡିର ଭୁବନେଶ୍ୱର ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଆସନ୍ତା ୨ ଦିନ ଯାଏ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରି କହିଛନ୍ତି ଯେ, ଅନେକ ସ୍ଥାନରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ। ଯାହାଫଳରେ ହିଟ୍ ଓ୍ୱେଭ୍ ପରିସ୍ଥିତି ସୃଷ୍ଟି ହେବ।

୧୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ପାଇଁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ବିଶ୍ୱାସ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏପ୍ରିଲ ୧୬ ତାରିଖରେ ଉପକୂଳ ଓଡ଼ିଶା ଜିଲ୍ଲା ଏବଂ ଏହାର ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ବଜ୍ରପାତ ଏବଂ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।

ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ଟାଣ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

Comments are closed.