ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନ୍ର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।
ଜୁଲାଇ ୨ ତାରିଖ ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ଏହା ଡିପ୍ ଡିପ୍ରେସନ୍ ରୂପ ନେବାର ଯଥେଷ୍ଟ ସମ୍ଭାବନା ଥିବା ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଏହାର ପ୍ରଭାବରେ ଜୁନ୍ ୩୦ ତାରିଖ ଅପରାହ୍ଣ କିମ୍ବା ରାତିରୁ ବର୍ଷା ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବୋଲି ସେ କହିଛନ୍ତି ।
ସୃଷ୍ଟ ଲଘୁଚାପ ଯୋଗୁଁ ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଯାଜପୁର, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, ସୋନ୍ପୁର, ବରଗଡ, ନବରଙ୍ଗପୁର ଏବଂ ଦେବଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।
ଜୁନ୍ ୩୦ ଏବଂ ଜୁଲାଇ ୧ ମଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ ଏବଂ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସମୁଦ୍ର ନିକଟବର୍ତୀ ଉପକୂଳ ଜିଲ୍ଲାଗୁଡ଼ିକରେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୬୦ କିମି ରହିବାର ସୂଚନା ଦେଇଛି ସିଇସି । ତେବେ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳିର ପ୍ରକୋପ ରହିବ । ଏହି ସମୟ ମଧ୍ୟରେ ତାପମାତ୍ରା ୩୪ ରୁ ୩୬ ଡିଗ୍ରୀ ମଧ୍ୟରେ ରହିବ ବୋଲି ଡ. ସାହୁ କହିଛନ୍ତି ।