Latest Odisha News

BREAKING NEWS

ଆନ୍ଧ୍ରରେ ପୁଣି ବର୍ଷା, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ତିରୁପତି : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ । ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବନ୍ୟା ହୋଇଛି । ଚିତ୍ତୋର, କଡପା, ଅନନ୍ତପୁର ଓ ନେଲୋରରେ ପ୍ରବଳ ବର୍ଷା ଜାରି ରହିବା ସହ ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି ।

ଚେନ୍ନାଇ-କୋଲକାତା ୧୬ ନମ୍ବର ଜାତୀୟ ରାଜପଥ ବିଚ୍ଛିନ୍ନ ଥିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ୧୦୦ରୁ ଅଧିକ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୨୯ଟି ଟ୍ରେନର ଗତିପଥ ବଦଳା ଯାଇଛି । ସେହିପରି ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୩ ହୋଇଥିବା ବେଳେ, ଶତାଧିକ ଲୋକଙ୍କ ପତ୍ତା ମିଳୁନି । କେବଳ କଡପା ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନନ୍ତପୁରମରେ ୭ ଜଣ ପ୍ରାଣ ହରାଇଛନ୍ତି ।

ଅନ୍ନମାୟା ପ୍ରକଳ୍ପରୁ ପୁଣି ବନ୍ୟାଜଳ ଆସିବାରୁ ହଜାର ହଜାର ଏକର ଜମି ଜଳମଗ୍ନ ହୋଇଛି । ତିରୁପତିର ଅବସ୍ଥା ସଂଗୀନ ରହିଛି । ରାଜ୍ୟର ସବୁଠାରୁ ବୃହତ ଜଳଭଣ୍ଡାର ଏହି ଜିଲ୍ଲାରେ ଥିବାରୁ ଏହାର ଜଳ ବନ୍ୟାକୁ ଅଧିକ ଗମ୍ଭୀର କରିଛି । ଚିତ୍ତୋର ଜିଲ୍ଲାରେ ଆତଙ୍କ ଜାରି ରଖିଛି ସ୍ବର୍ଣ୍ଣମୁଖୀ ନଦୀ । ବିଶାଖାପଟନମରେ ଏନଡିଆରଏଫର ଏକ ବାଟାଲିଅନ ମୁତୟନ ଥିବାବେଳେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.