Latest Odisha News

ନଦୀରେ ପାଣି କମୁଛି, ହେଲେ ଏବେ ବି ବନ୍ୟାଜଳରେ ବୁଡି ରହିଛି ହେକ୍ଟର ହେକ୍ଟର ଚାଷ ଜମି

ଭଦ୍ରକ : କମୁଛି ବୈତରଣୀର ଜଳସ୍ତର । ବିପଦ ଟଳିଥିବା ବେଳେ, ବିଭିନ୍ନ ସ୍ଥାନରେ ମଧ୍ୟ ହ୍ରାସ ପାଉଛି ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ତଳକୁ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ବହୁ ତଳେ ପ୍ରବାହିତ ହେଉଛି । ବନ୍ୟା ପାଣି ଧୀରେ ଧୀରେ ଖସୁଥିଲେ ମଧ୍ୟ ତଳିଆ ଅଞ୍ଚଳର ଲୋକେ ଏବେ ବି ସମସ୍ୟା ଘେରରେ ଅଛନ୍ତି ।

ଧାମନଗର ବ୍ଲକର ତଳିଆ ଅଞ୍ଚଳରୁ ବନ୍ୟା ଜଳ ଧୀରେ ଧୀରେ କମୁଛି । କିଛି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ । ବନ୍ୟା ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି । ପୂର୍ଣ୍ଣମୀ ପାଇଁ ସମୁଦ୍ର ଜୁଆରିଆ ରହୁଥିବାରୁ ପାଣି ଟାଣୁନାହିଁ । ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଚାଷ ଜମି ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ, ନଷ୍ଟ ହେବାକୁ ବସିଲାଣି ଫସଲ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡି ରାସ୍ତାର ଆରଡି ନିକଟରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଓଳଗ ପଞ୍ଚାୟତର ବୋଡକ, ଅମୃତମଣି, ଆରଡି ପଞ୍ଚାୟତର ମୁଆଁ, ସନ୍ତରା, ପାଲଟପୁର, ଶୀତଳପୁର ଆଦି ଗାଁରେ ବନ୍ୟାପାଣି ୪ ଦିନ ହେଲା ଲହଡି ଭାଙ୍ଗୁଥିବାରୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ସ୍ଥାନରେ ନଳକୂଅ ବୁଡି ଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି ।

Leave A Reply

Your email address will not be published.