Latest Odisha News

BREAKING NEWS

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ୨୦୦୯ରେ ସେ ସୁନ୍ଦରଗଡ଼ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେମାନନ୍ଦଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ସୁନୀତା ।

୧୯୩୯ ଡିସେମ୍ବର ୧ରେ ହେମାନନ୍ଦ ବିଶ୍ୱାଳ ଜନ୍ମଗ୍ରହଣ କରିଥିଲେ । ୧୯୬୭ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ୧୯୭୧ରେ ମଧ୍ୟ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଝାରସୁଗୁଡା ଜିଲ୍ଲା ଲଇକେରା ଆସନରୁ ୧୯୭୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ । ୧୯୯୮ ମେ ୬ ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ବ ତୁଲାଇଥିଲେ ।

ସେ ସ୍ବଳ୍ପ ସମୟ ପାଇଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଦ୍ୱିତୀୟ ଥର ସେ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ହେମାନନ୍ଦଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.