ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଉ ଏ ଦୁନିଆରେ ନାହାନ୍ତି। ୧୯୯୧ରେ ସେ ଭାରତକୁ ବିଶ୍ୱରେ ପରିଚିତ କରାଇଥିଲେ ଯାହାଦ୍ୱାରା ଭାରତର ପ୍ରଗତି ପାଇଁ ଅନେକ ନୂଆ ରାସ୍ତା ଖୋଲିଯାଇଥିଲା।
ନିଜର ଉଦାରପଣ ପାଇଁ ଅନେକ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ତାଙ୍କ ଦ୍ୱାରା କରାଯାଇଥିବା ଅର୍ଥନୈତିକ ସଂସ୍କାର ଯୋଗୁଁ ଦେଶ ମଧ୍ୟ ବହୁ ଆଗକୁ ଯାଇପାରିଥିଲା ଓ ମନମୋହନ ସିଂହ ଷ୍ଟକ ମାର୍କେଟ ଜରିଆରେ ମଧ୍ୟ ବହୁ ଅଗ୍ରଗତି କରାଇପାରିଥିଲେ।
ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେନସେକ୍ସରେ ୫ ଗୁଣା ବୃଦ୍ଧି ଦେଖାଦେଇଥିଲା। ବିଶେଷ କରି ୨୦୦୪ରୁ ୨୦୧୪ ଏହି ୧୦ ବର୍ଷ ମଧ୍ଯରେ ଷ୍ଟକ୍ ମାର୍କେଟ୍ କେବଳ ଦୁଇଥର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତେବେ ୮ ଥର ନିବେଶକମାନଙ୍କର ବିପୁଳ ପରିମାଣରେ ଲାଭ ମଧ୍ଯ ହୋଇଥିଲା। ତାଙ୍କ ସମୟରେ ନିବେଶକମାନେ କେତେ ଟଙ୍କା ରୋଜଗାର କରିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା…
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ଅନ୍ୟତମ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ସମୟରେ ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ୨୦୦୪ରୁ ୨୦୧୪ମଧ୍ୟରେ ବମ୍ବେ ଷ୍ଟକ୍ ର ମୁଖ୍ୟ ସେନସେକ୍ସ ୩୯୮ ପ୍ରତିଶତ ବୃଦ୍ଧି ହୋଇଥିଲା।
ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ସେନ୍ସେକ୍ସ ୪,୯୬୧ ପଏଣ୍ଟରେ ଥିଲା ଓ ୨୦୧୪ରେ ସରକାର ବଦଳିବା ସମୟରେ ସେନସେକ୍ସ ୨୪,୬୯୩ ପଏଣ୍ଟରେ ପହଞ୍ଚି ଯାଇଥିଲା। ତେବେ ମନମୋହନ ସିଂହ ତାଙ୍କ ୧୦ ବର୍ଷ ସମୟ କାଳ ମଧ୍ୟରେ ସେନସେକ୍ସ ନିବେଶକ ମାନଙ୍କର ବହୁତ ଲାଭ କରାଇପାରିଥିଲେ।