Latest Odisha News

ଚନ୍ଦ୍ର ଗ୍ରହଣ ଦିନ ପୁଣି ଚିକେନ ବିରିଆନି ଖାଇବେ ହେତୁବାଦୀ

ମନ୍ଦିର ସେବାୟତ ସଂଘ ବଜାଇବ ଘଣ୍ଟ!

ଭୁବନେଶ୍ବର: ଆସ୍ଥା ଏବଂ ବିଜ୍ଞାନକୁ ନେଇ ଓଡ଼ିଶାରେ  ଆସନ୍ତାକାଲି ପୁଣି ମୁହାଁମୁହିଁ ହେବେ ହେତୁବାଦୀ ଏବଂ ପରମ୍ପରାବାଦୀ ।   କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀମାନେ ଏହି ଦିନ ସୂର୍ଯ୍ୟପରାଗ ଦିନ ଭଳି ଚିକେନ ବିରିଆନି ଖାଇବେ ବୋଲି ଘୋଷଣା କରିଛନ୍ତି । ସେପଟେ ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ ନେଇ ହେତୁବାଦୀଙ୍କୁ ଘେରିବାକୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ହେତୁବାଦୀ ପ୍ରତାପ ରଥ କହିଛନ୍ତି ପାକ ତ୍ୟାଗ କଥା ଭାଣ୍ଡାମି । ଲୋକଙ୍କୁ ଡରାଇବାକୁ କିଛି ଲୋକ ଏପରି କହୁଛନ୍ତି । ଏହାର କିଛି ବୈଜ୍ଞାନିକ କାରଣ ନାହିଁ  । ଯେଉଁମାନେ ଏହାକୁ ସାଂସ୍କୃତିକ ବା ପ୍ରର୍ଥା ପରମ୍ପରା କହୁଛନ୍ତି ତାଙ୍କୁ ମଧ୍ୟ ସତ୍ୟ କଣ ଜଣାନାହିଁ । ପାକ ତ୍ୟାଗ ସହ ଯେଉଁ ସବୁ ବାହାନା କରିବା କୁହାଯାଉଛି ଏସବୁ ର କିଛି ବୈଜ୍ଞାନିକ ସତ୍ୟତା ନଥିବାରୁ ଆମେ ଏହାକୁ କେବେ ଗ୍ରହଣ କରିନାହୁଁ କି କରିବୁ ନାହିଁ । ଯେଉଁମାନେ ଆମକୁ ବିରୋଧ କରିବାକୁ କହୁଛନ୍ତି କରନ୍ତୁ ଆମର ସେଥିରେ କିଛି ଆପତ୍ତି ନାହିଁ । କିନ୍ତୁ ଆମକୁ ଧମକ ଦେଲେ ଆମେ ଡରିବାର ନାହିଁ ବୋଲି କହିଛନ୍ତି ହେତୁବାଦୀ ପ୍ରତାପ ରଥ ।

ସେପଟେ ହେତୁବାଦୀମାନେ ଆମ ଧର୍ମ, ପରମ୍ପରା ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି  ଓଡ଼ିଶା ମନ୍ଦିର ସେବାୟତ ସଂଘ । ଓଡ଼ିଶା ମନ୍ଦିର ସେବାୟତ ସଂଘ  ସ୍ପଷ୍ଟ କରିଛି ଯେ, ପୂର୍ବରୁ ସଙ୍ଗଠିତ ହୋଇଥିବା ସୂର୍ଯ୍ୟପରାଗ ପରେ ଏବେ ଆଗାମୀ ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀମାନେ ଯେଉଁଠି ବିରିଆନି ଖାଇବେ ସେଠାରେ ତାଙ୍କ ଉଦ୍ୟମକୁ ଜୋରଦାର ବିରୋଧ କରାଯିବ। ଆବଶ୍ୟକ ପଡ଼ିଲେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ଲୋଡ଼ାଯିବା ନେଇ ବିଚାରବିମର୍ସ ଚାଲିଥିବା ସଂଘ ତରଫରୁ କୁହାଯାଇଛି ।

 ଗ୍ରହଣରେ ଚିକେନ ବିରିଆନି ଖାଇବା ନେଇ ହେତୁବାଦୀଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ମଧ୍ୟ କିଛି ୟୁଜର ସମର୍ଥନ କରୁଥିବା ବେଳେ କିଛି ଗାଳି ଦେଉଛନ୍ତି । ଏନେଇ ଓଡ଼ିଶାରେ ଦୁଇ ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି । କିଛି ଲୋକ ହେତୁବାଦୀଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ପ୍ରଥା ପରମ୍ପରାକୁ ସମର୍ଥନ କରିବା ଉପରେ ଯୁକ୍ତି ରଖୁଛନ୍ତି । ତେବେ ଆସନ୍ତାକାଲି ହେତୁବାଦୀ ଏବଂ ପରମ୍ପରାବାଦୀଙ୍କ ମଧ୍ୟରେ କିଭଳି ସଂଘର୍ଷ ହେଉଛି ତାହାକୁ ଅନେକ ଅପେକ୍ଷା କରିଛନ୍ତି ।

Comments are closed.