କଟକ:ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ପୂର୍ବ ନିର୍ଦ୍ଦେଶ ପାଳନ ନକରି ଅଡୁଆରେ DEO । ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀ (DEO) ପରେଶ ନାଥ ପାତ୍ରଙ୍କୁ ଏହି ଗିରଫ ପରୱାନା ଜାରି କରିଛନ୍ତି। ଏକ ଅନୁକମ୍ପାମୂଳକ ନିଯୁକ୍ତି ସମ୍ପର୍କିତ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଥାଉକି, ଆବେଦନକାରୀଙ୍କ ବାପା ପ୍ରଧାନଶିକ୍ଷକ ଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା
। ରିହାବିଲିଟସନ ସ୍କିମରେ ଚାକିରି ପାଇଁ DEOଙ୍କୁ ଆବଦେନ କରିଥିଲେ ପୁଅ । କିନ୍ତୁ ତ୍ୱରିତ ପଦକ୍ଷେପ ନିଆ ନ ଯିବାରୁ ହାଇକୋର୍ଟ ଯାଇଥିଲେ ପୁଅ । ନିର୍ଦ୍ଦିଷ୍ଟ ସମୟରେ ପଦକ୍ଷେପ ନେବାକୁ DEOଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ହାଇକୋର୍ଟ DEOଙ୍କୁ ଜାନୁଆରୀ ୨୨ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ସେ କ’ଣ ପଦକ୍ଷେପ ନେଇଛନ୍ତି, ସେ ନେଇ ସ୍ପଷ୍ଟୀକରଣ ରଖିବେ। ଯଦି DEO ପାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରନ୍ତି ଏବଂ ନିୟମ ପାଳନ କରନ୍ତି, ତେବେ ଗିରଫ ପରୱାନା କାର୍ଯ୍ୟକାରୀ ହେବ ନାହିଁ।
Comments are closed.