Latest Odisha News

କେତେ ସୁରକ୍ଷିତ ମହିଳା? ବେଙ୍ଗାଲୁରୁରେ ସର୍ବାଧିକ ଏସିଡ ଆଟାକ୍ ମାମଲା 

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ଏସିଡ ଆଟାକ୍ ସଂଖ୍ୟା। ବିଶେଷ କରି ମହିଳା ଓ ଛାତ୍ରୀଙ୍କ ଉପରେ ଆଟାକ୍ କରାଯାଉଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ନୂତନ ରିପୋର୍ଟ ଅନୁଯାୟୀ, ଗତବର୍ଷ ବେଙ୍ଗାଲୁରୁରେ ମହିଳାମାନେ ସର୍ବାଧିକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ୨୦୨୨ ମସିହାରେ ବେଙ୍ଗାଲୁରୁରେ ସର୍ବାଧିକ ୬ଟି ଏସିଡ୍ ଆକ୍ରମଣ ହୋଇଥିଲା । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ । ଯେଉଁଠାରେ ପାଞ୍ଚଜଣ ମହିଳା ଏସିଡ୍ ମାଡର ଶିକାର ହୋଇଥିଲେ।

ଏନସିଆରବି ପ୍ରାୟ ୧୯ଟି ବଡ ସହରର ତାଲିକା ପ୍ରକାଶ କରିଛି । ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ଓ ତୃତୀୟ ସ୍ଥାନରେ ରହିଛି ଅହମ୍ମଦାବାଦ। ଗତବର୍ଷ ଅହମ୍ମଦାବାଦରେ ପାଞ୍ଚଟି ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି ହାଇଦ୍ରାବାଦ ଏବଂ ଅହମ୍ମଦାବାଦରେ ଦୁଇ ଦୁଇଟି ଆକ୍ରମଣ ମାମଲା ରୁଜୁ ହୋଇଛି ।

ଗତବର୍ଷ ବେଙ୍ଗାଲୁରୁରେ ଜଣେ ଛାତ୍ରୀଙ୍କୁ ଏସିଡ୍ ମାଡ ହୋଇଥିଲା । ଜଣେ ୨୪ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ବହୁ ବର୍ଷ ଧରି ତାଙ୍କ ପିଛା କରୁଥିଲା । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା। ପରେ ଅଭିଯୁକ୍ତକୁ ମେ’ ମାସରେ ତିରୁବନନାମାଲାଇ ଆଶ୍ରମରୁ ଗିରଫ କରିଥିଲା ପୋଲିସ । ସେହିଭଳି ବେଙ୍ଗାଲୁରୁରେ ଗତବର୍ଷ ଜୁନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ମୁହଁରେ ଏସିଡ୍ ଫିଙ୍ଗିଥିଲେ । ବିବାହ କରିବାକୁ ମନା କରିଥିବାରୁ ଏସିଡ ଫିଙ୍ଗିଥିଲା ପ୍ରେମିକ ।

ମହିଳାମାନଙ୍କ ପାଇଁ ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ସହର ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ କରିଛି । ଏଠାରେ ଗୋଟିଏ ଦିନରେ ୩ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ଦେଶରେ ମହିଳାଙ୍କ ବିରୋଧରେ ମୋଟ ୪ ଲକ୍ଷ ୪୫ ହଜାର ୨୫୬ ଟି ଅପରାଧ ମାମଲା ରୁଜୁ ହୋଇଛି । ଅର୍ଥାତ ପ୍ରତି ଘଣ୍ଟାରେ ପ୍ରାୟ ୫୧ଟି ଏଫଆଇଆର ଦାଖଲ କରାଯାଇଛି । ୨୦୨୧ମସିହାରେ, ଏହି ସଂଖ୍ୟା ୪ ଲକ୍ଷ ୨୮ ହଜାର ୨୭୮ଥିଲା । ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ତୁଳନାରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ୪% ବୃଦ୍ଧି ପାଇଛି।

 

Comments are closed.