Latest Odisha News

ହିମାଚଳ ପ୍ରଦେଶର ମନ୍ତ୍ରୀମଣ୍ଡଳ ବିସ୍ତାର: କ୍ୟାବିନେଟ୍‌ରେ ସାମିଲ୍ ହେଲେ ୭ ମନ୍ତ୍ରୀ

ଶିମଲା: ଆଜି ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖଙ୍କ ସରକାରରେ କ୍ୟାବିନେଟ୍ ବିସ୍ତାର ହୋଇଛି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି। ରବିବାର ସିମଲା ରାଜଭବନରେ ରାଜ୍ୟପାଳ ଆର.ଭି ଆର୍ଲେକର ଏହି ୭ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ପରେ ୪ ମାସ ପରେ କ୍ୟାବିନେଟ୍ ବିସ୍ତାର ହୋଇଛି । ଏହି ଶପଥ ପାଠ ସମାରୋହରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ସୁଖୁଙ୍କ କ୍ୟାବିନେଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟା ସିଂହଙ୍କୁ ବି ମନ୍ତ୍ରୀ ପଦ ମିଳିଛି। କ୍ୟାବିନେଟ୍‌ରେ ୭ ମନ୍ତ୍ରୀ ସାମିଲ୍ ହେବା ପରେ ସୁଖୁଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂଖ୍ୟା ୯ ହୋଇଛି। ୭ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ର ସିଂହଭାଗ ଦାୟିତ୍ୱ ଦିଆଯାଇଛି॥ ତେବେ ବିଳାଶପୁର, ମଣ୍ଡି, ଲାହାଉଲ ଏବଂ ସ୍ପିତୀରୁ କେହି ମନ୍ତ୍ରୀ ପଦ ପାଇ ନାହାନ୍ତି।

ମନ୍ତ୍ରୀ ପଦରେ ଶପଥ ନେଇଥିବା ବିଧାୟକମାନେ ହେଲେ ଡକ୍ଟର ଧନିରାମ ସାଣ୍ଡିଲ୍ୟ, କାଙ୍ଗଡା ଜୱାଲି ବିଧାୟକ ଚନ୍ଦ୍ର କୁମାର, ହର୍ଷବର୍ଦ୍ଧନ ଚୌହାନ, ଜଗତ ସିଂହ ନେଗି, ରୋହିତ ଠାକୁର, ଅନୁରୁଦ୍ଧ ସିଂହ ଓ ସିମଲା ଗ୍ରାମୀଣ ବିଧାୟକ ବିକ୍ରମ ଅଦିତ୍ୟ ସିଂହ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ୪୦ ଆସନରେ ବିଜୟ ଲାଭ କଂଗ୍ରେସ ସରକାର ଗଠନ କରିଛି । ପୂର୍ବରୁ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।ଆଉ ଆଜି  ୭ ମନ୍ତ୍ରୀ କ୍ୟାବିନେଟ୍‌ରେ ସାମିଲ୍ ହୋଇଛନ୍ତି।

Comments are closed.