ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
ଭୁବନେଶ୍ୱର: ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଏବଂ ସମାବେଶୀ ବିକାଶ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଶୁକ୍ରବାର ଭୁବନେଶ୍ୱରରେ ଏକ ଜାତୀୟସ୍ତରୀୟ ମାବବାଧିକାର ସମ୍ବେଦୀକରଣ ସମ୍ମିଳନୀ ଆୟୋଜନ କରିଥିଲା । ଉକ୍ତ ସମ୍ମିଳନୀରେ ସମଗ୍ର ଦେଶରୁ ନୀତି ପ୍ରସ୍ତୁତକାରୀ, ଆଇନଜ୍ଞ, କର୍ପୋରେଟ ବ୍ୟକ୍ତିବିଶେଷ ଏବଂ ନାଗରିକ ସମାଜର ପ୍ରତିନିଧିବୃନ୍ଦ ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ସମ୍ପର୍କରେ ଆଲୋଚନା କରିବାକୁ ସମବେତ ହୋଇଥିଲେ ।
ଏହି ସମ୍ମିଳନୀ ମେ ଫେୟାର କନ୍ଭେସନଠାରେ ହୁ୍ୟମାନ୍ ରାଇଟସ୍ ଫ୍ରଣ୍ଟ ସହଯୋଗୀତାରେ ଆୟୋଜିତ ହୋଇଥିଲା ।
ସମସ୍ତ ଶିଳ୍ପରେ ମାନବାଧିକାର ମାନକ ସମ୍ପର୍କରେ ଗଭୀର ଭାବରେ ଏକ ସମାନ ଓ ଗଭୀର ବୋଧଗମ୍ୟତା ସୃଷ୍ଟି କରିବାକୁ ବିବିଧ ଅଂଶୀଦାରମାନଙ୍କୁ ଏକତ୍ରିତ କରିବାକୁ ଏହା ଲକ୍ଷ୍ୟ ରଖିଥିଲା । ଏହି ସମସ୍ତ ନୀତିଗୁଡିକୁ ବ୍ୟବସାୟିକ ପରିଚାଳନାରେ ସମନ୍ୱିତ କରିବା ଏବଂ ସେହି ସମୟରେ ଜାତୀୟ ଏବଂ ଆନ୍ତର୍ଜାତିକ ଆଶା ଆକାଂକ୍ଷାଗୁଡିକ ସହିତ ମେଳ ଖାଉଥିବା କର୍ପୋରେଟ ଦାୟବଦ୍ଧତା ବିଧିବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସଗୁଡିକ ସମ୍ପର୍କରେ ଜ୍ଞାନର ଅଂଶୀଦାର କରିବାକୁ ଏଭଳି ପ୍ରୟାସ ଉତ୍ସାହିତ କରିଥିଲା । ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗୀତାକୁ ସମର୍ଥନ କରାଇ ଏହି ସମ୍ମିଳନୀ ମଧ୍ୟ ଆପଦଗୁଡିକୁ ଚିହ୍ନଟ କରିବା, ତାରତମ୍ୟ ଦୂର କରିବା ଏବଂ ଦାୟିତ୍ୱସମ୍ପନ୍ନ ବ୍ୟବସାୟ ପରିଚାଳନା ପ୍ରତି ପ୍ରତିବଦ୍ଧ ମଜଭୁତ, ମାନବାଧିକାର-ସମ୍ବେଦୀ ସଂଗଠନଗୁଡିକର ବିକାଶକୁ ସମର୍ଥନ କରିବାକୁ ଚାହିଁଥିଲା ।
ଉଦ୍ଘାଟନୀ ଅଧିବେଶନରେ ଡ.ଜଷ୍ଟିସ ବିଦୁ୍ୟତ ରଞ୍ଜନ ଷଡଙ୍ଗୀ, ସମ୍ମାନାସ୍ପଦ ସଦସ୍ୟ, ଜାତୀୟ ମାନବାଧିକାର ଆୟୋଗ (ଏନଏଚଆର୍ସି); ଜଷ୍ଟିସ ବିମଳ ପ୍ରସାଦ ଦାସ, ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ମାନବାଧିକାର କମିଶନ; ଶ୍ରୀ ଅସିମ ଅମିତାଭ ଦାସ, ପୂର୍ବତନ ସଦସ୍ୟ, ଓଏଚ୍ଆରସି; ଡ.ନିବେଦିତା ନାଥ, କୁଳପତି, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି; ଏବଂ ସମିକ ବସୁ, ଚିଫ୍ ହୁ୍ୟମାନ ରିସୋର୍ସେସ୍ ଅଫିସର, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଯୋଗଦେଇଥିଲେ । ଭି.ଆର.ଶଙ୍କର, ସିନିୟର ପ୍ରେସିଡେଣ୍ଟ ଓ ଚିଫ୍ ଲିଗାଲ ଅଫିସର, ହିଣ୍ଡାଲ୍କୋ; ଶ୍ରୀ ଟି.ଏମ.ପ୍ରକାଶ, ପ୍ରେସିଡେଣ୍ଟ- ଏଚଆର, ହିଣ୍ଡାଲ୍କୋ ଏବଂ ସମ୍ମିଳନୀ ଆବାହକ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ମୁଖ୍ୟ ଅଭିଭାଷଣ ପ୍ରଦାନ କରି ସମିକ ବସୁ କର୍ପୋରେଟ ପରିଚାଳନା ଏବଂ ବିକାଶ ପ୍ରୟାସସମୂହରେ ମାନବାଧିକାର ମୂଲ୍ୟବୋଧକୁ ଅନ୍ତର୍ନିହିତ କରିବାର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ । “ଆମର ସତ୍ୟନିଷ୍ଠ ମୂଲ୍ୟବୋଧ, ପ୍ରତିବଦ୍ଧତା ଏବଂ ନିର୍ବିଘ୍ନତା ଆଧାରରେ ଆମେ ନିରାପଦ, ସମାବେଶୀ ଏବଂ ଦାୟିତ୍ୱସମ୍ପନ୍ନ କାର୍ଯ୍ୟସ୍ଥଳ ନିର୍ମାଣ ପ୍ରତି ଉତ୍ସର୍ଗୀକୃତ ରହିଛୁ । ”
ବସୁ ପୁନଶ୍ଚ ପ୍ରକାଶ କରି କହିଥିଲେ ଯେ, ମାନବାଧିକାର ପ୍ରତି ସମ୍ମାନବୋଧ କମ୍ପାନୀର ଦାୟିତ୍ୱସମ୍ପନ୍ନ ବ୍ୟବସାୟିକ କାର୍ଯ୍ୟାଭ୍ୟାସ, ବିଶ୍ୱାସ ଭାବକୁ ସୁଦୃଢ କରିବା, ଆପଦ ହ୍ରାସ ଏବଂ ଦୀର୍ଘସୂତ୍ରୀ ମଜଭୁତପଣ ନିର୍ମାଣ କରିବାରେ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି । ୮୭-ପଏଣ୍ଟ କର୍ପୋରେଟ ସଷ୍ଟେନେବିଲିଟି ଆସେସ୍ମେଣ୍ଟ (ସିଏସ୍ଏ) ସ୍କୋର ସହିତ ବିଶ୍ୱର ସର୍ବାଧିକ ଦୀର୍ଘସ୍ଥାୟୀ ଆଲୁମିନିୟମ କମ୍ପାନୀ ଭାବରେ ଶୀର୍ଷ ରାଙ୍କିଙ୍ଗ ସମେତ ବେିଶ୍ୱିକ ଇଏସ୍ଜି ସୂଚକଗୁଡିକରେ କମ୍ପାନୀର ନେତୃତ୍ୱ ସ୍ଥାନ ଏହାର ମଜଭୁତ ସାମାଜିକ, ପରିବେଶଗତ ଏବଂ ପ୍ରଶାସନିକ ପରିଚାଳନା ପ୍ରଦର୍ଶନକୁ ପ୍ରତିଫଳିତ କରୁଛି । ଏସ୍ ଆଣ୍ଡ ପି ଗ୍ଲୋବାଲ ଇଏସ୍ଜି ଆସେସ୍ମେଣ୍ଟରେ ଉଚ୍ଚତର ୮୯ ଇଏସ୍ଜି ସ୍କୋର ଏଥିପ୍ରତି ପୁଞ୍ଜିନିବେଶକଙ୍କ ଆସ୍ଥା ଏବଂ ପରିଚାଳନାଗତ ନିର୍ଭଯୋଗ୍ୟତାକୁ ପୁନଃସୁଦୃଢୀକରଣ କରିଛି ଏବଂ ତାହାସହିତ ଗୋଷ୍ଠୀ ବିକାଶ ଓ ନୈତିକ କାର୍ଯ୍ୟ ପରିଚାଳନା ଜରିଆରେ ପରିବ୍ୟାପ୍ତ ସାମାଜିକ ପ୍ରଭାବ ସୃଷ୍ଟି କରୁଛି ।
ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ୍ (ଡିଜେଏସ୍ଆଇ)ରେ ଲଗାତର ଛଅବର୍ଷ ଧରି ହିଣ୍ଡାଲ୍କୋ ବିଶ୍ୱର ସର୍ବାଧିକ ଦୀର୍ଘସ୍ଥାୟୀ ଆଲୁମିନିୟମ କମ୍ପାନୀ ଭାବରେ ସ୍ଥାନ ପାଇବା ବିଷୟ ଦୀର୍ଘସ୍ଥାୟିତା ଅଧିକରୁ ଅଧିକ ସୁଯୋଗ ଆଣିଦେଉଥିବା ବୈଶ୍ୱିକ ବଜାରଗୁଡିକରେ ପ୍ରତିଯୋଗିତା କରିବା ନିମନ୍ତେ କମ୍ପାନୀର ସାମର୍ଥ୍ୟକୁ ପୁନଃମଜଭୁତ କରିଛି ।
ଏହି ସମ୍ମିଳନୀରେ ତିନିଟି ମାନବାଧିକାର ପ୍ରସଙ୍ଗ ଆଧାରିତ ତିନିଟି ବିଷୟଗତ ପାନେଲ ଆଲୋଚନା ସ୍ଥାନ ପାଇଥିଲା ।
ପ୍ରଥମ ପ୍ୟାନେଲ ଆଲୋଚନା “ଅଧିକାର-ଭିତ୍ତିକ ବିକାଶ: ସମତା, ସମାବେଶୀ ଏବଂ ସଂସ୍ଥାନଗତ ଉତ୍ତରଦାୟିତ୍ୱକୁ ଆଗେଇନେବା” ଉପରେ କେନ୍ଦ୍ରୀଭୂତ ଥିଲା ।
ଦ୍ୱିତୀୟ ପ୍ୟାନେଲ ଆଲୋଚନା ନୈତିକ ବ୍ୟବସାୟିକ କାର୍ଯ୍ୟାଭ୍ୟାସ ଏବଂ ଜାତୀୟ ଓ ଆନ୍ତର୍ଜାତିକ ମାନବାଧିକାର ମାନକ ଅନୁପାଳନ ଉପରେ ଦୃଷ୍ଟିନିବଦ୍ଧକାରୀ “କର୍ପୋରେଟ ରେସ୍ପନସିବିଲିଟି ଆଣ୍ଡ ଇଏସ୍ଜି” ଆଧାରିତ ଥିଲା ।
ଶେଷ ପ୍ୟାନେଲ ଆଲୋଚନାର ବିଷୟବସ୍ତୁ ଥିଲା “ଲେବର କୋଡସ୍ ଆଣ୍ଡ ହୁ୍ୟମାନ ରାଇଟସ୍: ବାଲାନ୍ସିଂ ଇଜି ଅଫ ଡୁଇଂ ବିଜିନେସ୍ ୱିଥ୍ ୱର୍କର ପ୍ରୋଟେକ୍ସନ” ।
ଏହି ସମ୍ମିଳନୀ ମଧ୍ୟ ଅନେକ ମାନବାଧିକାର ରକ୍ଷାକାରୀଙ୍କୁ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ସେମାନଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରୟାସ ମାନବାଧିକାର ଉପରେ ଆଲୋଚନାକୁ ଆଗେଇନେବା ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବାକୁ ହିଣ୍ଡାଲ୍କୋ ପକ୍ଷରୁ ପୂର୍ବ ପ୍ରୟାସ ମୁତାବକ ଆୟୋଜିତ ହୋଇଥିଲା । ଏହି ଯାତ୍ରା ୨୦୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ କମ୍ପାନୀ ଓଡ଼ିଶା ମାନବାଧିକାର କମିଶନ ସହଯୋଗୀତାରେ ଅନୁରୂପ ଏକ ସମ୍ମିଳନୀ ଆୟୋଜନ କରିଥିଲା ।
ବର୍ତ୍ତମାନର ସଂସ୍କରଣ ଜାତୀୟସ୍ତରକୁ ପରିବର୍ଦ୍ଧିତ ହେବାପରେ ହିଣ୍ଡାଲ୍କୋ ସମଗ୍ର ଦେଶରେ ମାନବାଧିକାର ଏବଂ ଦାୟିତ୍ୱସମ୍ପନ୍ନ ବ୍ୟବସାୟିକ କାର୍ଯ୍ୟାଭ୍ୟାକୁ ଆଗେଇନେବା ନିମନ୍ତେ ଏହି ମଞ୍ଚକୁ ବଜାୟ ରଖିବା ଏବଂ ଏହାକୁ ପାରସ୍ପରିକ ଶିକ୍ଷଣ, ସହଯୋଗୀତା ଏବଂ ସହଭାଗୀ ପ୍ରତିବଦ୍ଧତାର ଏକ ମଞ୍ଚ ଭାବରେ ଗଢିତୋଳିବାକୁ ଲକ୍ଷ୍ୟ ରଖିଛି ।