Latest Odisha News

BREAKING NEWS

ଶୟନ ଏକାଦଶୀ: କାହିଁକି ଭଗବାନ ବିଷ୍ଣୁ ଯାଆନ୍ତି ଚତୁର୍ମାସ ଯୋଗ ନିଦ୍ରାରେ

ଭୁବନେଶ୍ୱର:(ଦେବଦତ୍ତ ରଥ)ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ। ଏହାକୁ ଶୟନ ଏକାଦଶୀ, ହରିଶୟନ ଏକାଦଶୀ ବା ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ୍ ବିଷ୍ଣୁ ପତାଳପୁରୀ ଯାଇ ନିଦ୍ରାରେ ରୁହନ୍ତି। ଏହି ୪ ମାସକୁ ଚତୁର୍ମାସ କୁହାଯାଏ।  ଏହି ସମୟରେ ବିବାହ, ବ୍ରତ ଆଦି କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। ଚଳିତ ବର୍ଷ ଜୁଲାଇ ୧୦ ତାରିଖରୁ ଶୟନ ଏକାଦଶୀ ଆରମ୍ଭ ହେଉଛି।

ପୌରାଣିକ ମତ ଅନୁଯାୟୀ, ଦାନବୀର ରାଜା ବଳି ନିଜର ବଳ ଓ ପରାକ୍ରମ ପାଇଁ ତିନି ଲୋକ ଉପରେ ରାଜୁତି କରୁଥିଲେ। ରାଜା ବଳିଙ୍କ ଆଧିପତ୍ୟରେ ଇନ୍ଦ୍ରଙ୍କ ଆସନ ଟଳମଳ ହେଲା। ବଳିଙ୍କ ପ୍ରଭାବ ବିସ୍ତାର ଦେଖି ଇନ୍ଦ୍ର ସାହାଯ୍ୟ ପାଇଁ ଭଗବାନ୍ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। ରାଜା ବଳି ଭଗବାନ୍ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ ଏବଂ ଜଣେ ମହାଦାନୀ ଥିଲେ। ଭଗବାନ୍ ବିଷ୍ଣୁ ବାମନ ଅବତାର ଧାରଣ କରି ଭିକ୍ଷା ମାଗିବା ପାଇଁ ରାଜା ବଳିଙ୍କ ନିକଟରେ ପହଞ୍ଚିଥିଲେ। ଭଗବାନ୍ ବିଷ୍ଣୁ ରାଜା ବାଲିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ।

ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତାଙ୍କର ପ୍ରଥମ ପାଦ ଧରିତ୍ରୀ ଓ ଦ୍ବିତୀୟ ପାଦ ଆକାଶ ଉପରେ ରହିଥିଲା। ତୃତୀୟ ପାଦ ରଖିବାକୁ ସ୍ଥାନ ନଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ୍।

ହେଲେ, ରାଜା ବଳିଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ। ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ୍ ନିଜ ସ୍ଥାନକୁ କିପରି ଫେରିବେ ନେଇ ଚିନ୍ତିତ ହୋଇ ପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ।

ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ନିଜ ସ୍ଥାନକୁ ଫେରିବାକୁ ଅନୁମତି ଦେଇଥିଲେ।

ତେବେ, ଭଗବାନ ବିଷ୍ଣୁ ଭକ୍ତଙ୍କୁ କେବେ ନିରାଶ କରନ୍ତି ନାହିଁ। ସେଥିପାଇଁ ଭଗବାନ୍ ରାଜା ବଳିଙ୍କୁ ବରଦାନ ଦେଇଥିଲେ ଯେ, ପ୍ରତି ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ କାର୍ତ୍ତିକ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ପାତାଳ ଲୋକରେ ବାସ କରିବେ। ଏହି ୪ ମାସ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାଆନ୍ତି ବୋଲି କୁହାଯାଏ। ତେଣୁ ଏହି ଚତୁର୍ମାସ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଶୁଭ ହୋଇନଥାଏ ବୋଲି ବିଶ୍ବାସ ରହିଛି।

Leave A Reply

Your email address will not be published.