ନୂଆଦିଲ୍ଲୀ: ୨୦୨୬ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଦୀର୍ଘ ଦଶନ୍ଧି ଧରି ନୀଳ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଉଥିବା ଭାରତୀୟ ଦଳ ଏବେ କମଳା ରଙ୍ଗର କିଟ୍ରେ ନଜର ଆସିବ । ଜୁଲାଇ ୨୭ରେ ହକି ଇଣ୍ଡିଆ ପୁରୁଷ ଓ ମହିଳା ଉଭୟ ଦଳ ପାଇଁ ଏହି ନୂଆ ଜର୍ସି ଉନ୍ମୋଚନ କରିଥିଲା । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଭିରେନ୍ ରାସକିନ୍ହା ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଅସନ୍ତୋଷ ପ୍ରକାଶ କରି ସେ ଲେଖିଛନ୍ତି ଯେ, ନୀଳ ରଙ୍ଗର ଜର୍ସି ଭାରତୀୟ ହକିର ଐତିହାସିକ ପରିଚୟ ଥିଲା ଏବଂ ଏହାକୁ ବଦଳାଇବାର କୌଣସି ଯୁକ୍ତିଯୁକ୍ତ କାରଣ ସେ ବୁଝିପାରୁ ନାହାନ୍ତି ।୨୦୦୧ ଜୁନିୟର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ତଥା ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ଓ ୨୦୦୬ ବିଶ୍ୱକପ୍ରେ ଭାରତର ପ୍ରତିନିଧିତ୍ୱ କରିଥିବା ରାସକିନ୍ହା ନିଜ ସମୟର ଜଣେ ଶ୍ରେଷ୍ଠ ମିଡଫିଲ୍ଡର ଭାବେ ଗଣାଯାଉଥିଲେ ।
ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏହି ନିଷ୍ପତ୍ତିର ସମର୍ଥନ କରି କହିଛନ୍ତି ଯେ, ଏହି ବଦଳି ଖେଳାଳି, ଅଧିନାୟକ, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି । ଆନ୍ତର୍ଜାତୀୟ ହକି ଟର୍ଫ ସାଧାରଣତଃ ନୀଳ ରଙ୍ଗର ହୋଇଥାଏ । ନୀଳ ଜର୍ସି ପିନ୍ଧିବା ଦ୍ୱାରା ପଡ଼ିଆରେ ଖେଳାଳିଙ୍କୁ ସ୍ପଷ୍ଟ ଦେଖିବାରେ ସମସ୍ୟା ହେଉଥିଲା। ଯଦି ବିଶ୍ୱକପ୍ ପରେ ଖେଳାଳିମାନେ ଏହି ଜର୍ସିକୁ ପସନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଏହାକୁ ପୁଣି ବଦଳାଯାଇପାରିବ । ୨୦୨୬ ହକି ବିଶ୍ୱକପ୍ ୧୪ ରୁ ୩୦ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ବେଲଜିୟମ୍ (ୱାଭରେ) ଏବଂ ନେଦରଲ୍ୟାଣ୍ଡସ (ଆମ୍ଷ୍ଟେଲଭିନ୍) ରେ ଅନୁଷ୍ଠିତ ହେବ । ଭାରତ ୧୯୭୫ରେ ନିଜର ଏକମାତ୍ର ହକି ବିଶ୍ୱକପ୍ ଟାଇଟଲ୍ ଜିତିଥିଲା । ଦୀର୍ଘ ୫୦ ବର୍ଷ ପରେ ଦଳ ପୁଣିଥରେ ବିଶ୍ୱ ଚାମ୍ପିୟନ୍ ହେବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ।