ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ରାଉରକେଲା ଓ ରାଂଚୀରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ ମ୍ୟାଚରେ ପ୍ରଶଂସକ ମାଗଣାରେ ମ୍ୟାଚ ଉପଭୋଗ କରିପାରିବେ । ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି । ଡିସେମ୍ବର ୨୮ରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ଲୋକପ୍ରିୟ ଲିଗ ଆରମ୍ଭ ହେବ । ଏହା ଆସନ୍ତାବର୍ଷ ଫେବୃୟାରୀ ୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୮ଟି ଦଳ ଅଂଶଗ୍ରହଣ କରିବେ । ସେହିପରି ମହିଳା ଲିଗ ରାଂଚୀ ମାରଙ୍ଗ ଗୋମକେ ଜୈପାଲ ସିଂ ମୁଣ୍ଡା ଆଷ୍ଟ୍ରୋ ଟ୍ରଫରେ ଖେଳାଯିବ । ଆସନ୍ତା ବର୍ଷ ଜାନୁୟାରୀ ୧୨ରୁ ୨୬ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ ।
ହକିଙ୍କୁ ପ୍ରଶଂସକଙ୍କ ସହ ଯୋଡି ରଖିବା ପାଇଁ ବିନା ଦେୟରେ ମ୍ୟାଚ ଉପଭୋଗ କରିବା ସୁଯୋଗ ପ୍ରଦାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆଗ୍ରହ ଥିବା ସତ୍ୱେ ଅର୍ଥ ଅଭାବରୁ ହକିକୁ ଉପଭୋଗ କରିପାରୁ ନ ଥିବା ପ୍ରଶଂସକମାନଙ୍କ ପାଇଁ ଏହି ଫ୍ରି ଟିକେଟର ବ୍ୟବସ୍ଥା କରାଯାଇଛି ବୋଲି ଏଚଆଇଏଲର ଗଭର୍ଣ୍ଣିଂ ଚେୟାରମ୍ୟାନ ଦିଲୀପ ତିର୍କୀ କହିଛନ୍ତି ।