Latest Odisha News

ହକି ବିଶ୍ୱକପ ବିଜ୍ଞାପନ: ମାମଲା କୋର୍ଟକୁ ଯିବା ପୂର୍ବରୁ ଭୁଲ ସୁଧାରିଲେ ରାଜ୍ୟ ସରକାର!

ଭୁବନେଶ୍ୱର: ବୁଧବାର ହକି ବିଶ୍ୱକପ ପାଇଁ ବିଗୁଲ ବାଜିବ। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ଶେଷ ହୋଇଯାଇଛି। କିନ୍ତୁ ଏହାରି ଭିତରେ ମଙ୍ଗଳବାର ଖବରକାଗଜରେ ଦେଖିବାକୁ ମିଳିଥିଲା ଗୋଟିଏ ବ୍ୟତିକ୍ରମ। ସାରା ରାଜ୍ୟରେ ହକି ବିଶ୍ୱକପ ପାଇଁ ହୋର୍ଡିଂ ଲାଗିଛି ସେଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିନଥିବା ବେଳେ ହଠାତ ମଙ୍ଗଳବାର ରାଜ୍ୟ ସରକାର ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଥିଲା। ମୋଦୀଙ୍କ ଫଟୋ ବିଜ୍ଞାପନରେ ଲାଗିବାକୁ ନେଇ ଚର୍ଚ୍ଚା ବଢିଥିଲା। ପ୍ରାଥମିକ ଭାବେ କୁହାଯାଉଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାପରେ ହୁଏତ ରାଜ୍ୟ ସରକାର ଏପରି ବିଜ୍ଞାପନ ଦେବାକୁ ଚିନ୍ତା କରିଥିଲେ। ହେଲେ ଏହାର ମୂଳ କାରଣ ମାଡ୍ରାସ ହାଇକୋର୍ଟ ସମାନ ପ୍ରସଙ୍ଗରେ ଦେଇଥିବା ରାୟ ବୋଲି ଜଣାପଡିଛି।

ତେବେ ରାଜ୍ୟ ସରକାର ମୋଦୀଙ୍କ ଫଟୋ ବିଜ୍ଞାପନରେ ଲଗାଇ ନ୍ୟାୟଳୟର ଛାଟ ଖାଇବା ପୂର୍ବରୁ ବର୍ତ୍ତିଯାଇଛନ୍ତି। କାରଣ ସମାନ ପ୍ରକାର ହୋର୍ଡିଂ ଲାଗିଥିଲା ଗତବର୍ଷ ତାମିଲନାଡୁରେ। ଅବସର ଥିଲା ୪୪ ତମ ଚେସ ଅଲମ୍ପିଆଡ। ମାମଲାପୁରମରେ ଏହି ଖେଳ ଆୟୋଜନ ହୋଇଥିଲା।

ତାମିଲନାଡୁ ସରକାର ଏ ନେଇ ସାରା ରାଜ୍ୟରେ ହୋର୍ଡିଂ ମାରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଫଟୋ ଲାଗିଥିଲା। ହେଲେ ମାମଲା ମାଡ୍ରାସ ହାଇକୋର୍ଟରେ ପହଞ୍ଚିବାପରେ ତାମିଲନାଡୁ ସରକାର ବ୍ୟାକଫୁଟକୁ ଆସିଥିଲେ। ଆଉ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଥିଲେ।

ଆର ରାଜେଶ କୁମାର ନାମକ ଜଣେ ବିଜେପି ନେତା ଆବେଦନ କରି କହିଥିଲେ ତାମିଲନାଡୁ ସରକାର କେବଳ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଫଟୋକୁ ପ୍ରିଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନରେ ବ୍ୟବହାର କରିଛନ୍ତି। ଏପରି କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଛନ୍ତି। ଯାହାକି କମନ୍ କଜ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ (୨୦୧୫) ଏବଂ କର୍ଣ୍ଣାଟକ ରାଜ୍ୟ ବନାମ କମନ୍ କଜ୍ (୨୦୧୬) ଥିଲା।

ଏହାପରେ ଖଣ୍ଡପୀଠ ପ୍ରଧାନମନ୍ତ୍ରୀଙ୍କ ଫଟୋ ସମ୍ପର୍କରେ କୋର୍ଟ କହିଥିଲେ, ଯଦି ପିଏମ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ନଥାନ୍ତେ, ତେବେ ମଧ୍ୟ ତାଙ୍କ ଫଟୋ ବିଜ୍ଞାପନରେ ପ୍ରକାଶ କରିବା ଆବଶ୍ୟକ ଥିଲା। ରାଷ୍ଟ୍ରର ଭାବମୂର୍ତ୍ତି ସମସ୍ତଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହେବା ଉଚିତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଉଚିତ ବୋଲି କୋର୍ଟ କହିଥଲେ।

 

Comments are closed.