ଭୁବନେଶ୍ୱର: ଦୀର୍ଘ ନଅ ଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି।
ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା। ଅପରାହ୍ନ ୪ଟାରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ। ଶ୍ରୀବାଣୀକ୍ଷେତ୍ରର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ତିନି ରଥଙ୍କୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା ।
ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସୁସଜ୍ଜିତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥକୁ ଟାଣିଥିଲେ। ଘଣ୍ଟଘଣ୍ଟା, ମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା। ସେହିପରି ଶ୍ରୀଜୀଉମାନଙ୍କ ସୁନାବେଶ ଭକ୍ତମାନେ ଯେପରି ସୁଚାରୁ ରୂପେ ଦର୍ଶନ କରିପାରିବେ ସେଥିପାଇଁ କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।