ବଦଳୁଛି ଲାଇଫ ଷ୍ଟାଇଲ । ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ପାଇଁ ଆଗଭର ହେଉଛନ୍ତି ଯୁବପୀଢି । ଆଉ ଏହି ସମୟରେ ନିଶାର ଜାଲରେ ଫସିଯାଉଛନ୍ତି ଯୁବାବର୍ଗ । ଯୁବାବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଦ୍ବୈତନଗରୀରେ ଖୋଲିଚାଲିଛି ଶହ ଶହ ହୁକ୍କା ବାର । କାରଣ ଏହିକିଛି ବର୍ଷ ହେବ ବଦଳିଲାଣି ନିଶାର ଟ୍ରେଣ୍ଡ । ନିଶାର ନୂଆ ଟ୍ରେଣ୍ଡ ପାଲଟିଛି ହୁକ୍କା । ଏବେ ହୁକ୍କା ପ୍ରେମରେ ଯୁବପୀଢି । ହୁକ୍କା ବାରରେ ବଢୁଛି ଯୁବପୀଢିଙ୍କ ଭିଡ । ଫ୍ଲେଭର ଆଳରେ ଯୁବାବର୍ଗଙ୍କୁ ଆକୃଷ୍ଟ କରୁଛି ହୁକ୍କା ବାର । କିନ୍ତୁ ଏହି ହୁକ୍କା ଆପଣଙ୍କ ହୃଦ ସ୍ପନ୍ଦନ ବନ୍ଦ କରିଦେବ ବୋଲି ମତ ଦେଲେଣି ଚିକିତ୍ସକ । ଟଙ୍କା ଦେଇ ମୃତ୍ୟୁ ନକିଣିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ସ୍ବାସ୍ଥ୍ୟ ପ୍ରତି ତମାଖୁ ହାନିକାରକ ଥିବାବେଳେ ହୁକ୍କାରେ କୋଇଲା ଖଣ୍ଡକୁ ଜଳାଇ ସେଥିରେ ତମାଖୁ ମିଶାଇ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ସେବନ କରାଯାଏ । ହୁକ୍କା ସେବନ କରିବାରୁ କର୍କଟ ରୋଗ ହେବା ସହ ଫୁସଫୁସ ଜନୀତ ସମସ୍ୟା ଓ ହୃଦରୋଗ ହେଉଥିବା ଚିକିତ୍ସକ ମତ ଦେଇଛନ୍ତି । ଫ୍ଲେଭର ନାଁରେ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । ସୁସ୍ଥ ରହିବାକୁ ହେଲେ ନିଶା ଛାଡିବାକୁ ପରାମର୍ଶ ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ବନବିହାରୀ ମିଶ୍ର ।
ସମୟ ବଦଳିବା ସହ ଏବେ ସେଲିବ୍ରେସନର ଶୈଳୀ ବି ବଦଳିଛି । ବାର୍ଥ ଡେ ପାର୍ଟି ହେଉ ଅବା ଗେଟ ଟୁଗେଦର ପାର୍ଟିରେ ଜମୁଛି ହୁକ୍କାର ଆସର । କିଶୋର ବୟସରୁ ଅନେକ ଏହି ନିଶାର ଜାଲରେ ଫସିଯାଉଥିବା ଏକ୍ସପର୍ଟ କହିଛନ୍ତି । ଡ୍ରାଏ ଫ୍ରୁଟ ସହ ହର୍ବଲ ହୁକ୍କା ଫ୍ଲେଭର କହି ଯୁବାବର୍ଗଙ୍କୁ ଟାର୍ଗେଟ କରୁଛନ୍ତି ବ୍ୟବସାୟୀ । କୋଟପା ଆକ୍ଟ ଅନୁଯାୟୀ ସବୁ ପ୍ରକାର ହୁକ୍କା ନିଷିଦ୍ଧ ତମାଖୁ ସାମଗ୍ରୀ । କୋଟପା ଆଇନର ଧାରା ୪ ଅନୁସାରେ ନନ୍ ସ୍ମୋକିଙ୍ଗ ଜୋନ ବା ହୋଟେଲ ,ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ହୁକ୍କାର ବ୍ୟବହାର ସଂପୂର୍ଣ୍ଣ ବେଆଇନ । ରାଜ୍ୟ ସରକାର ହୁକ୍କାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି ସମାଜସେବୀ ମହମ୍ମଦ ଇମ୍ରାନ ଅଲ୍ଲୀ ।
ଦ୍ବୈତନଗରୀ କଟକ ଭୁବନେଶ୍ବରରେ ବେଧଡକ ଭାବେ ହୁକ୍କା କାରବାର ଚାଲୁଥିବାବେଳେ ରାଜ୍ୟ ବାହାରୁ ବିପୁଳ ହୁକ୍କା ଆମଦାନୀ ହେଉଛି । ହୁକ୍କା ବାର ଚଢାଉ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ବି ଦେଇଛି । ତଥାପି ରାଜଧାନୀର ଛାତି ତଳେ ଖୁଲମଖୁଲା ସବୁ ନିୟମକୁ ଉଲଂଘନ କରିଚାଲିଛନ୍ତି ବ୍ୟବସାୟୀ ।
Comments are closed.