Latest Odisha News

ମୋଜାମ୍ବିକରେ ଆଇଏସର ନରସଂହାର, ୫୦ରୁ ଅଧିକ ଲୋକଙ୍କୁ ମୁଣ୍ଡ କାଟି ହତ୍ୟା

ମାପୁଟୋ: ଆଫ୍ରିକାର ମୋଜାମ୍ବିକରେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ପୁନର୍ବାର ନୃଶଂସ ପଣିଆ ଦେଖାଇ ୫୦ ବ୍ୟକ୍ତିଙ୍କୁ ହତ୍ୟା କରିଛି । ଏହି ନରସଂହାର ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି ।  କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ଏକ ଫୁଟବଲ ପଡ଼ିଆରେ ୫୦ରୁ ଅଧିକ ଲୋକଙ୍କୁ ମୁଣ୍ଡ କାଟି ହତ୍ୟା କରିଛନ୍ତି । ବର୍ବରତାର ସହ କରାଯାଇଥିବା ଏହି ହତ୍ୟାରେ ଅତି କମରେ ୧୫ ପିଲାଙ୍କୁ ମଧ୍ୟ ମାରି ଦିଆଯାଇଛି । ଖବର ଅନୁଯାୟୀ, ମୃତଦେହ ଗାଁ ନିକଟ ଜଙ୍ଗଲରେ ଏବଂ ଫୁଟବଲ ପଡ଼ିଆରେ ମିଳିଛି । ମୋଜାମ୍ବିକ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ ଆତଙ୍କବାଦୀମାନେ ଅନେକ ଗ୍ରାମ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଲୋକଙ୍କୁ ଫୁଟବଲ ପଡ଼ିଆକୁ ନିଆଯାଇଥିଲା । ତାଙ୍କୁ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ ମହିଳା ଓ ଶିଶୁଙ୍କୁ ମଧ୍ୟ ଅପହରଣ କରିଥିଲେ । ସେମାନେ ଗ୍ରାମବାସୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।

ସୂଚନାଯୋଗ୍ୟ, କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ୨୦୧୭ ପରଠାରୁ ଏଭଳି ଆକ୍ରମଣ କରି ଚାଲିଛନ୍ତି । ସେତେବେଳେ ୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ତେବେ ୨୦୧୭ ପରଠାରୁ ଅତି କମରେ ୨,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୦୦,୦୦୦ ରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି ।

Leave A Reply

Your email address will not be published.