Latest Odisha News

ସମ୍ବଲପୁର: ସାମ୍ବାଦିକ ସମ୍ମିଳନୀ କରିବାର କିଛି ଘଣ୍ଟା ପୂର୍ବରୁ ଦଳୀୟ ନେତାଙ୍କୁ ବହିଷ୍କାର କଲା ବିଜେଡି

ସମ୍ବଲପୁର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ପ୍ରମୋଦ ରଥଙ୍କୁ ବିଜେଡି ବହିଷ୍କାର କରିଛି। ରଥ ନିଜେ ଶାସକ ଦଳରୁ ଇସ୍ତଫା ଦେବା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।

ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ନଥିବାରୁ ଶ୍ରୀ ରଥ ତାଙ୍କ ଇସ୍ତଫା ଓ ବିଜେଡିରୁ ସଂପର୍କ ତୁଟାଇବାକୁ ଘୋଷଣା କରିବାକୁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର କେନ୍ଦ୍ରକୁ ରିପୋର୍ଟ ପଠାଇବାରେ ବିଫଳ ହୋଇଛନ୍ତି ଏବଂ ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ସହ ବୈଠକ କରି ଆଲୋଚନା କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥାନ୍ତେ ପ୍ରେସମିଟ୍ ଜରିଆରେ। ହେଲେ ଏହା ପୂର୍ବରୁ ଦଳ ତାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି।

ମଙ୍ଗଳବାର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଯଶବନ୍ତ ସିଂହ କମିଶନଙ୍କ ସୁପାରିସ ଅନୁଯାୟୀ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତିକ୍ରମେ ରାଜ୍ୟ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପାଇନାହାନ୍ତି।

୨୦୧୯ରୁ ଦଳରେ କୋଣଠେସ ହୋଇ ରହିଥିବାରୁ ପ୍ରମୋଦ ରଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସତ କହିବା ଅପରାଧ ନୁହେଁ ଏବଂ ସେ ଏହାକୁ ଅନେକ ଥର ଦୋହରାଇବାକୁ ପ୍ରସ୍ତୁତ ବୋଲି ସେ ନିଜ କାର୍ଯ୍ୟକୁ ସମର୍ଥନ କରି କହିଛନ୍ତି।

Comments are closed.