Latest Odisha News

BREAKING NEWS

ବେସମେଂଟରେ କେମିତି ଚାଲିଥିଲା ଲାଇବ୍ରେରୀ !

ନୂଆଦିଲ୍ଲୀ: ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ ସେମାନେ । କିନ୍ତୁ ଅକାଳ ମୃତ୍ୟୁର ଆଲିଙ୍ଗନରେ ସ୍ୱପ୍ନ ରହିଗଲା ଅଧୁରା । ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣାରେ ଚାଲିଯାଇଛି ତିନି ଆଇଏଏସ ଆଶାୟୀଙ୍କ ପ୍ରାଣ । ଦିଲ୍ଲୀର ଅନିୟନ୍ତ୍ରିତ ବର୍ଷା ପାଣି କାଳ ହୋଇଛି । ପୁରୁଣା ରାଜେନ୍ଦ୍ର ନଗରରେ ପ୍ରବଳ ବର୍ଷା ଯୋଗୁଁ ଏକ ଆଇଏଏସ କୋଚିଂ ସେଂଟର ଥିବା କୋଠାର ବେସମେଂଟରେ ପଶିଯାଇଥିଲା ପାଣି । ବେସମେଂଟରେ ଥିଲା କୋଚିଂ ସେଂଟର ଲାଇବ୍ରେରୀ । ପ୍ରଖର ସ୍ରୋତରେ ବେସମେଂଟ୍ ଭିତରକୁ ପଶିଆସିଥିଲା ପାଣି । ବର୍ଷା ପାଣିରେ ଫସିଯାଇଥିଲେ ଲାଇବ୍ରେରୀରେ ଥିବା ଛାତ୍ରଛାତ୍ରୀ । ବେସମେଂଟରେ ବନ୍ୟା ଭଳି ସ୍ଥିତିରୁ ବର୍ତ୍ତି ନପାରି ପ୍ରାଣ ହରାଇଲେ ଜଣେ ଛାତ୍ରୀ ଓ ଦୁଇ ଛାତ୍ର । ବେସମେଂଟରେ ପାଣି ଘେରରେ ଥିବା ଅନ୍ୟଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ପୋଲିସ ଓ ଦମକଳ ବାହିନୀର ସହାୟତା ନିଆଯାଇଥିଲା ।

ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଦୁର୍ଘଟଣା ନିହାତି ଲଜ୍ଜାଜନକ । ଦିଲ୍ଲୀର ଦୁର୍ବଳ ଡ୍ରେନେଜ ଓ ବର୍ଷା ପାଣି ନିୟନ୍ତ୍ରଣ ବ୍ୟବସ୍ଥା ପୁଣି ପଦାରେ ପଡିଛି । ଘଟଣାର ଯାଂଚ କରି ୨୪ ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀର ରାଜସ୍ୱ ମନ୍ତ୍ରୀ ଆତିଶି ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବେସମେଂଟ ଦୁର୍ଘଟଣା ପରେ କୋଚିଂ ସେଂଟର ମାଲିକ ଓ କୋଅର୍ଡିନେଟରଙ୍କୁ ଗିରଫ କରାଯାଇଛି । କୋଚିଂ ସେଂଟର ଓ ବିଲଡିଂ ମ୍ୟାନେଜମେଂଟ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦିଲ୍ଲୀ ମେୟର କହିଛନ୍ତି ଯେ, ଆଇଏଏସ କୋଚିଂ ସେଂଟର ଯେଉଁ ବିଲଡିଂର ବେସମେଂଟରେ ଥିଲା, ସେହି ବିଲଡିଂକୁ କମ୍ପ୍ଲିସନ ସାର୍ଟିଫିକେସନ ୨୦୨୧ରେ ଦିଆଯାଇଥିଲା । ବେସମେଂଟକୁ କେବଳ ପାର୍କିଂ ଓ ଷ୍ଟୋରେଜ ପାଇଁ ବ୍ୟବହାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । କିନ୍ତୁ ସେଠାରେ ଲାଇବ୍ରେରୀ ଚାଲିଥିଲା ବୋଲି ମେୟର କହିଛନ୍ତି । ଦିଲ୍ଲୀରେ ଏ ବର୍ଷ ପ୍ରବଳ ବର୍ଷା ହେଉଛି । ୮୮ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ତେଣୁ ସମସ୍ୟା ଜଟିଳ ହୋଇଛି । ତେବେ ଏମସିିଡି, ପିଡବ୍ଲୁଡି, ଦିଲ୍ଲୀ ଜଳ ବୋର୍ଡ ଲୋକଙ୍କ ସୁରକ୍ଷା ପାଇଁ ୨୪ ଘଂଟା କାମ କରୁଥିବା କହିଛନ୍ତ ଦିଲ୍ଲୀ ମେୟର ।

ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଆପ୍ ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ପାିଁ ବିଜେପିର ୧୫ ବର୍ଷର ଶାସନକୁ ଦାୟୀ କରିଛନ୍ତି । ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ କହିଛନ୍ତି ଯେ, ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ସଜାଡିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଆପ୍ ସରକାର । ଦିଲ୍ଲୀ ବିଜେପି ସଭାପତି ବେସମେଂଚ କୋଚିଂ ସେଂଟର ମୃତ୍ୟୁକୁ ହତ୍ୟା ବୋଲି କହି ଆପ୍ ସରକାରକୁ ସମାଲୋଚନା କରିଛନ୍ତି ।

 

Comments are closed.