Latest Odisha News

BREAKING NEWS

ଗହଳି କମାଇବାକୁ ଯାଇ ଭାରିଯାନ ପାର୍କିଂ ବାବଦରେ ପୋଲିସ କେତେ ଚିନ୍ତିତ?

ଭୁବନେଶ୍ୱର: ଗହଳି କମାଇବାକୁ ଯାଇ ସଂଧ୍ୟା ସମୟରେ କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ଅଢ଼େଇ ଘଣ୍ଟା ଭାରିଯାନ ପ୍ରବେଶ କରାଇବା ଉପରେ ରୋକ୍ ଲଗାଇଛି। ହେଲେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। କାରଣ ଯେଉଁ ଟ୍ରକ ଏପଟରୁ ସେପଟରୁ ଦୂର ବାଟରୁ ଆସୁଛି ସେ ରାସ୍ତା ଉପରେ କେଉଁ ଜାଗାରେ ଛିଡା ହେବ ତାହା ଏବେ ବଡ ପ୍ରଶ୍ନ। ତେଣୁ ଆବଶ୍ୟକ ପାର୍କିଂ ସୁବିଧା ବାବଦରେ ପୋଲିସ ଅବଗତ କରାଇବାର ଥିଲା ବୋଲି ମତ ପ୍ରକାଶ ପାଇଛି।

ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସନ୍ଧ୍ୟା ସମୟରେ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ କମିସନରେଟ୍ ପୁଲିସର ଉଦ୍ୟମ ଯଥେଷ୍ଟ ନୁହେଁ। ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ ଭାରିଯାନ ଚଳାଚଳ ଉପରେ ଯେଉଁ କଟକଣା ଜାରି କରାଯାଇଛି, ତାହା ପିକ୍ ଆଓ୍ୱାର ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ନୁହେଁ। ଏହାକୁ ରାତି ୯ଟା ଯାଏଁ ବୃଦ୍ଧି କରାଯିବା ଉଚିତ।

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସହରରେ ଟ୍ରାଫିକ୍ ସମସ୍ୟାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଟ୍ରକ୍ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନର ଅଭାବ। ଏ ଯାଏ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇନାହିଁ।

କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଅଧିକ ପ୍ରଭାବୀ ପଦକ୍ଷେପ ନେବାକୁ ସେ ପୁଲିସ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏଥିପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରନ୍ତୁ ଯେଉଁଥିରେ ରାସ୍ତା ପ୍ରଶସ୍ତୀକରଣ, ଫ୍ଲାଏ ଓଭର ଓ ବାଇପାସ ନିର୍ମାଣ, ଅଧିକ ପାର୍କିଂ ସ୍ଥାନ ସୃଷ୍ଟି ଭଳି ପଦକ୍ଷେପ ସାମିଲ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଦୂରଦୂରାନ୍ତରୁ ଆସୁଥିବା ଟ୍ରକ ଡ୍ରାଇଭର ରାସ୍ତା ଉପରେ ଅଢ଼େଇ ଘଣ୍ଟା ଛିଡା ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଏଥିପାଇଁ ସପ୍ତାହକ ପୂର୍ବରୁ ଅବଗତ କରାଇବା ସହ ବିଜ୍ଞାପନ ଜରିଆରେ ସତର୍କ କରାଇବା ଆବଶ୍ୟକ ଥିଲା ବୋଲି ଟ୍ରକ ଚାଳକ କହିଛନ୍ତି।

ଉଲ୍ଲେଖଯୋଗ୍ଯ, କମିସନରେଟ ପୋଲିସର ଏହି ନିୟମ ଆଜିଠୁ ଲାଗୁ ହୋଇଛି। ଉଭୟ ପିତାପଲ୍ଲି ଏବଂ ମଙ୍ଗୁଳି ପଟୁ ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଭାରିଯାନ ଗୁଡିକୁ ପ୍ରବେଶ ନକରିବାକୁ କୁହାଯାଇଛି।

Comments are closed.