ମୁମ୍ବାଇ: ୮୦ ଦଶକର ସେହି ସମୟ ମନେ ପକାନ୍ତୁ, ଯେତେବେଳେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଉଥିଲା । ରାମ, ସୀତା ଏବଂ ହନୁମାନଙ୍କ ସହ ସେହି ସମୟରେ ଜଣେ ଅଭିନେତ୍ରୀ ନିଜର ଶକ୍ତିଶାଳୀ ଅଭିନୟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ହେଉଛନ୍ତି ମାତା ‘କୈକେୟୀ’ଙ୍କ ଭୂମିକାରେ ଅଭିନୟ କରିଥିବା ପଦ୍ମା ଖାନ୍ନା। କିନ୍ତୁ ଆପଣ ଜାଣନ୍ତି କି, ୩୮ ବର୍ଷ ପରେ ଆଜି ସେହି କୈକେୟୀ କେମିତି ଦେଖାଯାଉଛନ୍ତି ଏବଂ କେଉଁଠି ରହୁଛନ୍ତି ?
୧୯୮୭ ମସିହାରେ ପ୍ରଥମ କରି ଦୂରଦର୍ଶନରେ ‘ରାମାୟଣ’ ପ୍ରସାରିତ ହୋଇଥିଲା। ସେହି ସମୟରେ କୈକେୟୀଙ୍କ ଚରିତ୍ରକୁ ପଦ୍ମା ଖାନ୍ନା ଏତେ ଜୀବନ୍ତ କରିଥିଲେ ଯେ, ଲୋକେ ତାଙ୍କୁ ପ୍ରକୃତରେ ଘୃଣା କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଆଜି ୩୮ ବର୍ଷ ପରେ ପଦ୍ମାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଛି। ୧୦ ମାର୍ଚ୍ଚ ୧୯୪୯ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବା ପଦ୍ମା ନିକଟରେ ତାଙ୍କର ୭୭ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଅଭିନୟ ଯାତ୍ରା ୧୯୬୨ରେ ଭୋଜପୁରୀ ସିନେମାରୁ ଆରମ୍ଭ ହୋଇଥିଲା। ଏହାପରେ ସେ ‘ପାକିଜା’, ‘ସୌଦାଗର’ ଏବଂ ‘ହେରାଫେରି’ ଭଳି ବହୁ ବଡ଼ ବଡ଼ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇଥିଲେ ।
ତାଙ୍କର ପ୍ରଥମ ଫିଲ୍ମ ଥିଲା ୧୯୬୬ର ‘ବିବି ଔର ମକାନ’। ତେବେ ତାଙ୍କୁ ଲୋକପ୍ରିୟତା ଦେଇଥିଲା ଫିଲ୍ମ ହୀରା ରାଞ୍ଝା, ପରଦେଶୀ, ପାକିଜା ଓ ନୂରୀ। ଭୋଜପୁରୀରୁ ବଲିଉଡ୍ ପର୍ଯ୍ୟନ୍ତ ସବୁଠି ସେ ଥିଲେ ଏକ ଜଣାଶୁଣା ନାଁ ।
କ୍ୟାରିୟରର ଶୀର୍ଷରେ ଥିବା ସମୟରେ ପଦ୍ମା ଚଳଚ୍ଚିତ୍ର ନିର୍ମାତା ଜଗଦୀଶ ଏଲ୍. ସିଦାନାଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଧୀରେ ଧୀରେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପଦ୍ମା ଖାନ୍ନା ଏବେ ଭାରତରେ ନୁହେଁ ବରଂ ଆମେରିକାରେ ରହୁଛନ୍ତି। ସେଠାରେ ସେ ନିଜର ଏକ ‘କଥକ ଡାନ୍ସ ଏକାଡେମୀ’ ଚଲାଉଛନ୍ତି ଏବଂ ଭାରତୀୟ ସଂସ୍କୃତିକୁ ବିଦେଶ ମାଟିରେ ପ୍ରଚାର କରୁଛନ୍ତି।
ପଦ୍ମା ଖାନ୍ନା ହୁଏତ ଆଜି ପରଦାରେ ନାହାନ୍ତି, କିନ୍ତୁ ‘ରାମାୟଣ’ର ସେହି କୈକେୟୀ ଭୂମିକା ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଛି । ୭୭ ବର୍ଷ ବୟସରେ ବି ସେ ନିଜର ନୃତ୍ୟ କଳା ମାଧ୍ୟମରେ ନୂଆ ପିଢ଼ିକୁ ପ୍ରେରଣା ଦେଉଛନ୍ତି ।