Latest Odisha News

ସଚିନଙ୍କ ସର୍ବାଧିକ ଟେଷ୍ଟ ରନର ରେକର୍ଡ ଭାଙ୍ଗିଦେବେ କି ଜୋ ରୁଟ

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭବିଷ୍ୟବାଣୀ କରିଛନ୍ତି ଯେ, ଜୋ ରୁଟ ଅଳ୍ପ ଦିନ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟର ସର୍ବାଧିକ ରନର ରେକର୍ଡକୁ ଭଙ୍ଗ କରିବେ । ଏହା ପରେ ଏ ନେଇ ଆଲୋଚନା ଜୋର ଧରିଛି । ରୁଟଙ୍କ ପ୍ରଦର୍ଶନ ଏବେ ବେଶ ପ୍ରଶଂସନୀୟ ରହିଛି । ସେ ଯଦି ଆଗାମୀ କିଛି ବର୍ଷ ଫର୍ମ ଏବଂ ଫିଟନେସ ବଜାୟ ରଖିବେ ତେବେ ଏହା ଅସମ୍ଭବ ନୁହେଁ ବୋଲି ସମୀକ୍ଷକମାନେ କହିଛନ୍ତି । ୩୩ ବର୍ଷୀୟ ରୁଟ ବର୍ତମାନ ସୁଦ୍ଧା ୩୨ ଶତକ ସହାୟତାରେ ୧୧୯୪୦ ରନ ସଂଗ୍ରହ କରି ନେଇଛନ୍ତି । ସଚିନ ଟେଷ୍ଟ କ୍ୟାରିୟରରେ ୧୫୯୨୧ ରନ କରିଛନ୍ତି ।

ରୁଟ ୧୪୨ ଟେଷ୍ଟ ଖେଳି ସାରିଛନ୍ତି । ଯଦି ଫିଟନେସ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ନ କରେ ସେ ଆଉ ୫ ବର୍ଷ ଆରାମରେ ଆନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ । କୋରନା ମହାମାରୀ ପରେ ରୁଟ ୪୬ ଟେଷ୍ଟ ଖେଳି ୪୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ରୁଟଙ୍କୁ ଅତି କମରେ ଆଉ ୪୦ଟି ଟେଷ୍ଟ ଖେଳିବାକୁ ହେବ । ଅବଶ୍ୟ କ୍ୟାରିୟରର ଶେଷ ଭାଗରେ ରନ ସଂଗ୍ରହ ହାର କମିଯାଇଥାଏ । ସଚିନ ଶେଷ ୪୦୦୦ ରନ ୪୯ ଟେଷ୍ଟରେ ଏବଂ ରିକି ପଂଟିଂ ୫୭ ଟେଷ୍ଟରେ ସଂଗ୍ରହ କରିଥିଲେ । ୨୦୨୭ ପର୍ଯ୍ୟନ୍ତ ଇଂଲଣ୍ଡ ଟିମ ୩୦ଟି ଟେଷ୍ଟ ଖେଳିବ ।

ସଚିନ ୧୪୨ ଟେଷ୍ଟ ଖେଳିବା ବେଳେ ୨୨୯ ଇନିଂସରେ ୧୧,୨୮୯ ରନ କରିଥିଲେ । ଏହା ତୁଳନାରେ ରୁଟ ୨୬୦ ଇନିଂସରେ ୧୧୯୪୦ ରନ କରିଛନ୍ତି । ଆଭରେଜରେ ସଚିନ ଭଲ ଥିବା ବେଳେ ରନ ସଂଗ୍ରହରେ ରୁଟ ଆଗରେ ରହିଛନ୍ତି । ଏହି ସମୟ ମଧ୍ୟରେ ସଚିନ ୩୭ ଶତକ ମାରିଥିବା ବେଳେ ରୁଟ ୩୨ ଶତକ ମାରିଛନ୍ତି ।

ରୁଟ ଏବଂ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି । ସଚିନ (୧୫୯୨୧), ରିକି ପଂଟିଂ(୧୩,୩୭୮), ଜ୍ୟାକ୍ସ କାଲିସ(୧୩,୨୮୯), ରାହୁଲ ଡ୍ରାଭିଡ(୧୩୨୮୮), ଆଲିଷ୍ଟର କୁକ(୧୨୪୭୨), କୁମାର ସଙ୍ଗକାରା(୧୨୪୦୦) ଓ ବ୍ରାଏନ ଲାରା (୧୧୯୫୩) ରନ ସହ ତାଙ୍କଠାରୁ ଆଗରେ ରହିଛନ୍ତି । ସେ ଆଉ ୧୩ ରନ କଲେ ଲାରାଙ୍କ ରେକର୍ଡ ଭଙ୍ଗ କରି ୭ମ ସ୍ଥାନକୁ ଉନ୍ନୀତ ହେବେ । ବିରାଟ କୋହଲି ଏମାନଙ୍କଠାରୁ ପଛରେ ରହିଛନ୍ତି । ସେ ୧୧୩ ଟେଷ୍ଟରେ ୨୯ଶତକ ସହାୟତାରେ ୮୮୪୮ ରନ କରିଛନ୍ତି । ଏହା ସତ୍ୟ ସଚିନଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡ ପାଇଁ ରୁଟ ବିପଦ ସୃଷ୍ଟି କରିଛନ୍ତି ।

Comments are closed.