ନୂଆଦିଲ୍ଲୀ : ଭାରତୀୟମାନଙ୍କର ସୁନା ସବୁଠାରୁ ପ୍ରିୟ । ବିବାହଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ନିର୍ଭରଯୋଗ୍ୟ ଧାତୁ ମଧ୍ୟରୁ ଗୋଟିଏ । ସାଧାରଣତଃ ମହିଳାମାନେ ସୁନା ପିନ୍ଧିବା ସହ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି । ଆୟକର ଛାଡକୁ ଚିହ୍ନଟ କରିବା ପାଇଁ ସରକାର ନିୟମକୁ କଠୋର କରିଛନ୍ତି । ଜଣେ ଘରେ କେତେ ସୁନା ରଖି ପାରିବେ ତାହା ଉପରେ ମଧ୍ୟ ଏକ ସୀମା ସ୍ଥିର କରିଛନ୍ତିି । ଯଦି କେହି ନିୟମ ଉଲ୍ଲଂଘନ କରି ନିଜ ପାଖରେ ଅଧିକ ସୁନା ରଖନ୍ତି, ତେବେ ତାଙ୍କୁ ଜରିମାନା ଭରିବାକୁ ପଡ଼ିବ ।
ଆୟକର ଅଧିନିୟମ ଅନୁଯାୟୀ, ଜଣେ ବିବାହିତା ମହିଳା ନିଜ ପାଖରେ ସର୍ବାଧିକ ୫୦୦ ଗ୍ରାମ ସୁନା ରଖିପାରିବେ । ଅବିବାହିତଙ୍କ କ୍ଷେତ୍ରରେ, ଏହି ସୀମା ୨୫୦ ଗ୍ରାମ ରହିଛି । ଏହା ବ୍ୟତୀତ, ବିବାହିତ କିମ୍ବା ଅବିବାହିତ ଯେକୌଣସି ପୁରୁଷ ସର୍ବାଧିକ ୧୦୦ ଗ୍ରାମ ସୁନା ରଖିପାରିବେ । ଏହି ସୀମା ପର୍ଯ୍ୟନ୍ତ ସୁନା ରହିଲେ ଏଥିପାଇଁ କୌଣସି ପ୍ରମାଣ ଦେବାକୁ ପଡିବ ନାହିଁ । ଯଦି ପାଖରେ ଏହାଠାରୁ ଅଧିକ ସୁନା ରହିଥାଏ, ତେବେ ପ୍ରତିବର୍ଷ ଆୟକର ରିଟର୍ନରେ ଏହି ସୂଚନା ଦେବାକୁ ପଡିବ । ଯଦି ରିଟର୍ନରେ ସୂଚନା ନ ଦିଆଯାଏ ଏବଂ ଧାର୍ଯ୍ୟ ସୀମାଠାରୁ ଅଧିକ ସୁନା ଥିବା ଜଣାପଡେ ତେବେ ଆୟକର ଚଢ଼ାଉ ସମୟରେ ଏହା ଜବତ କରାଯିବ । ତା’ପରେ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ଦାଏର କରାଯିବ । ପ୍ରମାଣ କରିବାକୁ ପଡିବ ପାଖରେ ଥିବା ସୁନା ଅଳଙ୍କାର ଏକ ଆଇନଗତ ଉପାୟ ଦେଇ ଆସିଛି । ପ୍ରମାଣ କରିବାରେ ବିଫଳ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏକ ମିଳିତ ପରିବାରର ସଦସ୍ୟଙ୍କ କ୍ଷେତ୍ରରେ ଶାଶୁଙ୍କଠାରୁ ପାରିବାରିକ ସୁନା ଅଳଙ୍କାର ଉତ୍ତରାଧିକାରୀ ହୋଇଥିଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହା ସୀମାକୁ ଆସିବ ନାହିଁ । ମାତାପିତାଙ୍କଠାରୁ ଉପହାର ସ୍ୱରୂପ ଗ୍ରହଣ କରାଯାଇଥିବା ସୁନା ଅଳଙ୍କାରରେ ଆୟକର ଛାଡ ଉପଲବ୍ଧ । ବିବାହ ସମୟରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ପ୍ରାପ୍ତ ସୁନା ଅଳଙ୍କାର ମଧ୍ୟ ଆୟକର ଛାଡ ବର୍ଗରେ ଆସିଥାଏ । କିନ୍ତୁ, ଯେତେବେଳେ ଏହି ଅଳଙ୍କାରରୁ ରୋଜଗାର ହେବ, ସେତେବେଳେ ଲାଭ ଉପରେ ଆୟକର ଦେବାକୁ ପଡିବ । ଏହି ଅଳଙ୍କାର ବିକ୍ରୟରୁ ପାଇଥିବା ଲାଭ ଉପରେ ମଧ୍ୟ ଆୟକର ଦେବାକୁ ହେବ । ଉତ୍ତରାଧିକାରୀ ଭାବେ ପ୍ରାପ୍ତ ଟଙ୍କା କିମ୍ବା ଅଳଙ୍କାର ମଧ୍ୟ ଆୟକରରୁ ମୁକ୍ତ ଅଟେ । ତଥାପି, ଟିକସ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ସୀମାଠାରୁ ଅଧିକ ସୁନା ଅଳଙ୍କାର ଅଛି ଏବଂ ଏହି ସବୁ ଆଇନଗତ ଭାବରେ ଅର୍ଜନ ହୋଇଛି, ତେବେ ଆୟକର ରିଟର୍ନରେ ଏହି ସୂଚନା ଦେବାକୁ ପଡିବ ।
Comments are closed.