ଭୁବନେଶ୍ୱର: ଅନେକ ଲୋକ ଦୂରଦୂରାନ୍ତକୁ ଯିବା ପାଇଁ ଟ୍ରେନରେ ଟ୍ରାଭେଲ ବା ଯାତ୍ରା କରନ୍ତି। ଏହା ଶସ୍ତା ଓ ଆରାମଦାୟକ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତାୟାତ କରନ୍ତି। ଯାତ୍ରା ସମୟରେ ଅନେକେ ଓଜନିଆ ଲଗେଜ ମଧ୍ୟ ସାଙ୍ଗରେ ନେଇଥାନ୍ତି। କିନ୍ତୁ ଟ୍ରେନରେ କେତେ ଲଗେଜ ମାଗଣାରେ ନେଇ ପାରିବେ, ତାହା ଅନେକଙ୍କୁ ଜଣା ନାହିଁ। ଏହାର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି ଓ ଏହା ଜାଣି ନ ଥିଲେ ଜୋରିମାନା ଦେବାକୁ ପଡ଼ିପାରେ। ତେଣୁ ଟ୍ରେନରେ ଯାତ୍ରା କରୁଥିଲେ ଏହି ନିୟମ ଜାଣି ରଖନ୍ତୁ।
ଭାରତୀୟ ରେଳବାଇର ନିୟମ ଅନୁସାରେ, ଏସି ଫାଷ୍ଟ କୋଚ୍ରେ ଯାତ୍ରା କରୁଥିବା ଲୋକେ ୭୦ କିଲୋ ପର୍ଯ୍ୟନ୍ତ ଲଗେଜ ମାଗଣାରେ ନେଇ ପାରିବେ। ଏସି 2 ଟାୟାରରେ ଏହି ସୀମା ୫୦ କିଲୋ ରହିଛି। ଯଦି ଏହାଠାରୁ ଅଧିକ ଓଜନ ନେଇ ଯାଆନ୍ତି, ତେବେ ଜୋରିମାନା ଦେବାକୁ ପଡ଼ିବ। ତେଣୁ ଟ୍ରେନ ଯାତ୍ରା ଆରମ୍ଭ କରିବା ଆଗରୁ ଲଗେଜର ଓଜନ ଯାଞ୍ଚ କରି ନିଅନ୍ତୁ।
ଏବେ ଆସନ୍ତୁ ସ୍ଲିପର ଓ ସେକେଣ୍ଡ କ୍ଲାସ ବିଷୟରେ। ଏହି ଦୁଇଟି କୋଚ୍ରେ ଅଧିକ ଲୋକ ଯାତ୍ରା କରିଥାନ୍ତି। ସ୍ଲିପର କ୍ଲାସରେ ଯାତ୍ରୀମାନେ ୪୦ କିଲୋ ଓ ସେକେଣ୍ଡ କ୍ଲାସରେ ୩୫ କିଲୋ ପର୍ଯ୍ୟନ୍ତ ଲଗେଜ ମାଗଣାରେ ନେଇପାରିବେ। ଏହାଠାରୁ ଅଧିକ ହେଲେ ରେଳବାଇ ନିୟମ ଅନୁଯାୟୀ ଅତିରିକ୍ତ ଚାର୍ଜ ଦେବାକୁ ହୋଇପାରେ।
ଟ୍ରେନରେ କିଛି ଜିନିଷ ନେବା ଉପରେ ମଧ୍ୟ କଟକଣା ରହିଛି। ଯାତ୍ରୀମାନେ ବାଣ, ତେଜାବ, ଗ୍ୟାସ ସିଲିଣ୍ଡର, ଚମଡ଼ା, ଗ୍ରୀସ୍ ଭଳି ଜିନିଷ ନେଇ ପାରିବେ ନାହିଁ। ଏହି ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ତେଣୁ ଯାତ୍ରା କରିବା ସମୟରେ ଏହି ସବୁ ଜିନିଷ ନ ନେବାକୁ ସତର୍କ ରୁହନ୍ତୁ।
Comments are closed.