Latest Odisha News

ପାକିସ୍ତାନକୁ ହଜମ ହେଉନି ଭାରତର ବିଶ୍ୱକପ୍ ବିଜୟ

ନୂଆଦିଲ୍ଲୀ: ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ପାକିସ୍ତାନର ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ବଧାଇ ଜଣାଇଛନ୍ତି । ଅବଶ୍ୟ ଇଞ୍ଜାମାମ ଉଲ ହକ ଓ ସାହିଦ ଆଫ୍ରିଦିଙ୍କ ପରି କିଛି ପୂର୍ବତନ କ୍ରିକେଟର ହୁଏତ ଭାରତର ବିଜୟକୁ ସହଜରେ ହଜମ କରିପାରିନଥିବେ । ଖେଳକୁ ଖେଳ ଭାବନା ସହ ଅନେକ ଦେଖନ୍ତି ନାହିଁ । ଭାରତ ଏକ ଶତ୍ରୁ ଦେଶ । ତେଣୁ ଶତ୍ରୁ ଦେଶର ବିଶ୍ୱକପ୍ ବିଜୟ ପାକିସ୍ତାନର ଅଧିକାଂଶ କ୍ରିକେଟପ୍ରେମୀଙ୍କ ପାଇଁ ଅସହ୍ୟ ହୋଇଛି । ଅନେକ କ୍ରିକେଟପ୍ରେମୀ ଏମିତି ଅଛନ୍ତି, ସେମାନେ ଭାରତକୁ ପ୍ରଶଂସା ନକରି ପାକିସ୍ତାନ କ୍ରିକେଟ ଟିମ୍ ଉପରେ ବର୍ଷିଛନ୍ତି । ସବୁ କ୍ଷେତ୍ରରେ ସେମାନେ ପାକିସ୍ତାନକୁ ଭାରତ ସହ ତୁଳନା କରି ଦେଖନ୍ତି ।

ଭାରତର ପ୍ରତ୍ୟେକ ସିରିଜ୍ ଓ ବଡ ଟୁର୍ଣ୍ଣାମେଂଟ ବିଜୟକୁ ସନ୍ଦେହ ଘେରରେ ଦେଖନ୍ତି ପାକ୍ କ୍ରିକେଟପ୍ରେମୀ । ଅନେକଙ୍କ ମତରେ ବିସିସିଆଇ ବିଶ୍ୱର ଧନୀ କ୍ରିକେଟ ବୋର୍ଡ । ତେଣୁ ବିସିସିଆଇର ଧନବଳ ଆଗରେ ହାର ମାନିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ ବା ଆଇସିସି । ଏଥର ଟି-୨୦ ବିଶ୍ୱକପରେ ଆଇସିସି ଭାରତକୁ ସୁହାଇବା ଭଳି କାମ କରିଛି ବୋଲି ଅନେକ କ୍ରିକେଟପ୍ରେମୀ କହିଛନ୍ତି । ସେମାନଙ୍କ ସହ କିଛି ପୂର୍ବତନ କ୍ରିକେଟର ମଧ୍ୟ ବିଭିନ୍ନ ୟୁଟ୍ୟୁବ ସୋରେ ଏପରି ଅଭିଯୋଗ ଆଣିଛନ୍ତି । କିନ୍ତୁ ନିଜ ଦେଶର କ୍ରିକେଟ ଟିମର ନିମ୍ନମାନର ପ୍ରଦର୍ଶନ ନେଇ ଏମାନେ ମୁହଁ ଖୋଲନ୍ତି ନାହିଁ । ଟି-୨୦ ବିଶ୍ୱକପରେ ସୁପର ଏଇଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଇଂଜାମାମ୍ ବୋଲର ଆର୍ଶଦୀପ ସିଂହଙ୍କ ବିରୋଧରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗ ଆଣିଥିଲେ । କିନ୍ତୁ ଏହାକୁ ନେଇ ପାକିସ୍ତାନର ହିଁ କିଛି ପୂର୍ବତନ କ୍ରିକେଟର ଇଞ୍ଜାମାମଙ୍କ ସମାଲୋଚନା କରି ତାଙ୍କ ଅଭିଯୋଗ ହାସ୍ୟାସ୍ପଦ ବୋଲି କହିଥିଲେ । ଅନେକ ସମୟରେ ପାକିସ୍ତାନର ପକ୍ଷପାତପୂର୍ଣ୍ଣ ମିଡିଆ ନିଜଦେଶର ଜାତୀୟ କ୍ରିକେଟ ଦଳର ନିମ୍ନମାନର ପ୍ରଦର୍ଶନର ଉପଯୁକ୍ତ ମୂଲ୍ୟାୟନ ନ କରି ଭାରତୀୟ କ୍ରିକେଟ ଓ ବିସିସିଆଇକୁ ସମାଲୋଚନା କରିଥାଅନ୍ତି ।

ଅସଲ କଥା ହେଲ ଯେ କୌଣସି ଫର୍ମାଟର ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ବେଶ୍ ଉନ୍ନତ । ରାଜନୈତିକ କାରଣରୁ ଭାରତ ପାକିସ୍ତାନ ସହ ସିଧାସଳଖ କ୍ରିକେଟ ସମ୍ପର୍କ ରଖିନାହିଁ । ଦ୍ୱିପାକ୍ଷିକ କ୍ରିକେଟ ସିରିଜ ପାଇଁ ପାକିସ୍ତାନ ଯାଉନାହିଁ ଭାରତ । ଏପରିକି ନ୍ୟୁଟ୍ରାଲ ଭେନ୍ୟୁରେ ମଧ୍ୟ ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇକୁ ରାଜି କରିପାରିନାହିଁ । ଏସବୁ କିଛି କାରଣରୁ ପାକ୍ କ୍ରିକେଟପ୍ରେମୀ ଭାରତ ପ୍ରତି କ୍ଷୁବ୍ଧ ହେବା ସ୍ୱାଭାବିକ । ବୋଧହୁଏ ଈର୍ଷାପରାୟଣ ହୋଇ ସେମାନଙ୍କର ଶତ୍ରୁ ଦେଶ ଉପରେ ଏଣୁତେଣୁ ଅଭିଯୋଗ ଆଣି ରାଗ ଶୁଝାଇଥାଆନ୍ତି ପାକ୍ କ୍ରିକେଟପ୍ରେମୀ ।

ଏଥର ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଭାରତ ହାତରେ ପାକିସ୍ତାନର ଆଉ ଏକ ପରାଜୟ ପାକିସ୍ତାନର କ୍ରିକେଟପ୍ରେମୀଙ୍କୁ ହତାଶ କରିଛି । ସୋସିଆଲ ମିଡିଆରେ ଅନେକ କ୍ରିକେଟପ୍ରେମୀ ଭାରତ ବିରୋଧରେ ରାଗ ଶୁଝାଇବାକୁ ବଲ୍ ଟ୍ୟାମ୍ପରିଂ ଭଳି ଅନେକ ଅଭିଯୋଗ କରିଛନ୍ତି । ଭାରତ ବିଶ୍ୱକପ୍ ଚାମ୍ପିଅନ ହେବାକୁ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି ପଡୋଶୀ ଦେଶର କ୍ରିକେଟପ୍ରେମୀ । ରୋହିତ ଶର୍ମା କୌଣସି ଯାଦୁ କରନ୍ତି ବୋଲି ହାସ୍ୟାସ୍ପଦ ଅଭିଯୋଗ ଆଣିଛନ୍ତି । ଫାଇନାଲ ମ୍ୟାଚ ଫିକ୍ସ ହୋଇଥିଲା ବୋଲି ଅନେକଙ୍କ ଅଭିଯୋଗ । ଭାରତ ବିଶ୍ୱକପ୍ ଜିତୁ ବୋଲି ଆଇସିସି ଚାହୁଁଛି । ତେଣୁ ଭାରତୀୟ ଟିମକୁ ସୁହାଇବା ଭଳି ଆଇସିସି ସବୁ ବ୍ୟବସ୍ଥା କରିଥିଲା ବୋଲି ପାକିସ୍ତାନର ଭାରତ ବିରୋଧୀ ଉଗ୍ର ଫ୍ୟାନମାନେ ଅଭିଯୋଗ କରିଛନ୍ତି । କିନ୍ତୁ ଏସବୁ ହାସ୍ୟାସ୍ପଦ ଅଭିଯୋଗ ମଧ୍ୟରେ ସେମାନେ ଭୁଲି ଯାଇଛନ୍ତି ଯେ, ପାକିସ୍ତାନ ଆମେରିକା ଭଳି ଏକ ଅନଭିଜ୍ଞ, ନବାଗତ ଦଳଠାରୁ ପରାସ୍ତ ହୋଇଥିଲା । ଭାରତୀୟ କ୍ରିକେଟ ପ୍ରତି ଅମୂଳକ ଓ ହାସ୍ୟାସ୍ପଦ ଅଭିଯୋଗ ପାକିସ୍ତାନ କ୍ରିକେଟପ୍ରେମୀଙ୍କ ଅଣଖେଳୁଆଡ ମନୋଭାବକୁ ହିଁ ଦର୍ଶାଉଛି ।

Leave A Reply

Your email address will not be published.