ନୂଆଦିଲ୍ଲୀ:ସାଧାରଣତଃ ନିଜର ଆଖପାଖର ପରିବେଶ, ଲୋକଙ୍କ ଆଚରଣ ଏବଂ ଜୀବନରେ ସବୁବେଳେ ବଦଳୁଥିବା ପରିସ୍ଥିତି ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ଜାଣି ରଖନ୍ତୁ ଏହି ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟକୁ ବେଶ୍ ପ୍ରଭାବିତ କରେ । ଏହି କାରଣରୁ,ଜୀବନର ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହୁଏ ଓ ଏଥିସହ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଶିକାର ହେବାକୁ ପ଼ଡେ ।
ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣର ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି 20 ଜଣଙ୍କ ମଧ୍ୟରୁ ଜଣେ ମାନସିକ ସମସ୍ୟାର ଶିକାର ହେଉଛନ୍ତି। 15 ରୁ 49 ବର୍ଷ ବୟସ ମଧ୍ୟରେ ଅଧିକାଂଶ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ମନୋବୈଜ୍ଞାନିକଙ୍କ ମତରେ, ଜୀବନରେ ବ୍ୟକ୍ତି ଜଣକ ସତ୍ୟକୁ ଗ୍ରହଣ କରିବାରେ ଅସମର୍ଥ ହୋଇଥାଏ, ଯେଉଁଥିପାଇଁ ସେ ନକାରାତ୍ମକତା ଆଡ଼କୁ ଗତି କରିବା ଆରମ୍ଭ କରେ । ନକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଜଣକ ଛୋଟଛୋଟ କଥାରେ ପ୍ରତିକ୍ରିୟାଶୀଳ ହୋଇପଡେ । ଏକୁଟିଆ ରହିବାକୁ ଲାଗେ ଓ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରେ । ଏଥିସହ ନିଜର ଯତ୍ନ ନେବା ମଧ୍ୟ ଛାଡି ଦେଇଥାଏ ।
ତେବେ ଆସନ୍ତୁ ଜାଣିବା ନକାରାତ୍ମକ ଚିନ୍ତାଧାରାରୁ କିପରି ଦୂରରେ ରହିବା
୧.ସନ୍ତୁଷ୍ଟ ରହିବା ଶିଖନ୍ତୁ :ପ୍ରତ୍ୟେକ ମଣିଷର ଜୀବନ କାହାଣୀ ଭିନ୍ନ ଭିନ୍ନ ଅଟେ । ତେଣୁ ଜଣେ ବ୍ୟକ୍ତିର ଖୁସି / ଦୁଃଖ ଅନ୍ୟ ଜଣଙ୍କଠାରୁ ଭିନ୍ନ ହେବା ସ୍ବାଭାବିକ । ଏପରି ପରିସ୍ଥିତିରେ,ଜଣେ ବ୍ୟକ୍ତି ଅନ୍ୟ ଜଣକ ଜୀବନ ସହ ନିଜ ଜୀବନକୁ ତୁଳନା କରିବାର ଭାବନା ନକାରାତ୍ମକତା ବଢେଇଦିଏ । ଏହିସବୁ ନଭାବି ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ ଓ ଖୁସିରେ ରୁହନ୍ତୁ । ଏହା ଛଡା ନିଜକୁ କାମରେ ବ୍ୟସ୍ତ ରଖିବାକୁ ପ୍ରୟାସ କରନ୍ତୁ ।
୨.ପରଫେକ୍ଟ ହେବା ବନ୍ଦ କରନ୍ତୁ: ବହୁତ ଥର ଦେଖିବାକୁ ମିଳେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟକୁ ପରଫେକ୍ଟ କରିବା ଆଶାରେ ଆବଶ୍ୟକତାଠାରୁ ଅଧିକ ସମୟ ନଷ୍ଟ କରେ | ଏହି କାରଣରୁ ପରେ ମନରେ ଦୁଃଖ ଆସିଥାଏ ଓ ନକାରାତ୍ମକ ଚିନ୍ତାଧାରା ବଢିବାକୁ ଲାଗେ । ଏଥିପାଇଁ ସବୁ ପରିସ୍ଥିତିରେ ଖୁସିରେ ରହିବାକୁ ଚେଷ୍ଟା କରିବା କଥା ।
୩.ଅନ୍ୟମାନଙ୍କର ଚିନ୍ତାଧାରାକୁ ପ୍ରାଧାନ୍ୟ ଦିଅନ୍ତୁ ନାହିଁ: ପରିବାର,ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଅନୁଯାୟୀ ଜୀବନ ବଞ୍ଚିବା ବନ୍ଦ କରନ୍ତୁ ଏବଂ ନିଜ ଜୀବନର ଦାୟିତ୍ବ ନିଜେ ନିଅନ୍ତୁ | ଅନ୍ୟ ଲୋକଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦିଅନ୍ତୁ ନାହିଁ । ସେମାନଙ୍କର ପସନ୍ଦ ଓ ନାପସନ୍ଦକୁ ଅଣଦେଖା କରି ନିଜ ଅନୁସାରେ ବଞ୍ଚନ୍ତୁ । ଏହା ଦ୍ବାରା ନକାରାତ୍ମକତା ଠାରୁ ଦୂରରେ ରହି ପାରିବେ ।
୪. ନିଜର ତୁଳନା ଅନ୍ୟ ସହ କରନ୍ତୁ ନାହିଁ : ନିଜ ପାଖରେ ଯାହା ଅଛି ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ । ନିଜର ତୁଳନା ଅନ୍ୟ ସହ କରିବା ଦ୍ବାରା ମନରେ ନେଗେଟିଭ ଚିନ୍ତା ଆସେ । ଏଥିପାଇଁ ନିଜର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟର ନକଲ କରନ୍ତୁ ନାହିଁ ।
୫. ନିଜକୁ ଭଲ ପାଇବା ଶିଖନ୍ତୁ: ନିଜର ଧ୍ୟାନ ରଖନ୍ତୁ । ସବୁ ଦିନେ ବ୍ୟାୟମ କରନ୍ତୁ । ସଠିକ୍ ସମୟରେ ଶୁଅନ୍ତୁ ଓ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜର ପ୍ରିୟଜନଙ୍କ ସହ ସମୟ କାଟନ୍ତୁ । ଏହି ସବୁ କରିବା ଦ୍ବାରା ଆପଣଙ୍କ ଜୀବନରେ ସକାରାତ୍ମକତା ବୃଦ୍ଧି ପାଇବ ।
୬. ନେଗେଟିଭ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ :ଯେତେବେଳେ ଆମେ ନେଗେଟିଭ ଲୋକଙ୍କ ପାଖରେ ରହୁ ନଚାହିଁଲେ ବି ଆମମାନଙ୍କ ଭିତରେ ନକାରାତ୍ମକ ଚିନ୍ତାଧାରା ବଢିବାକୁ ଲାଗେ । ସେଥିପାଇଁ ଏପରି ଲୋକଙ୍କ ଗହଣରେ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ଜୀବନରେ ଆଗକୁ ବଢିବାରେ ପ୍ରୋତ୍ସାହିତ କରିବେ ।
୭. ନିଜର କ୍ଷମତା ଅନୁସାରେ ନିଜର ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ: ଅନେକଥର କଣ ହୁଏ ନା ଆମେ ନିଜର କ୍ଷମତା ଠାରୁ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରି ଦେଇଥାଉ , ପରେ ତାହା ପୂରା କରିପାରି ନଥାଉ । ଫଳରେ ମନ ନକାରାତ୍ମକତା ଆଡକୁ ଚାଲି ଯାଇଥାଏ । ଅନ୍ୟକୁ ଦେଖି ନିଜର ଭବିଷ୍ୟତର ନିଷ୍ପତ୍ତି ନେବା ଅନୁଚିତ୍ । ନିଜର ଆବଶ୍ୟକତାକୁ ଦେଖି ତାହା ଅନୁସାରେ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ।