Latest Odisha News

BREAKING NEWS

ଜମିବ ଛାଡ଼ଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ, ଆକାଶ ଛୁଆଁ ଦର

ଭୁବନେଶ୍ଵର: ଗତକାଲି ଆମିଷ ବାର ନଥିଲା । ଆଜି ରବିବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି ।

ଆମିଷ ମାର୍କେଟରେ ଲାଗିଛି ଲୋକଙ୍କ ନାହିଁ ନଥିବା ଭିଡ଼ । ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି ବ୍ୟବସାୟୀ । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁର, ଇଲିସ, ଚିଙ୍ଗୁଡି, ଚାନ୍ଦି ମାଛର ଚାହିଦା ଅଧିକ ରହିଛି । ଭାକୁର ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୫୦ ରୁ ୩୦୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୮୦୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି। ତେବେ ଡିମାଣ୍ଡକୁ ଦେଖି ରାଜ୍ୟ ବାହାରୁ ମଧ୍ୟ ଖାସି ମଗାଯାଇଛି।

ରାଜଧାନୀର ପ୍ରମୁଖ ମାର୍କେଟ ତଥା ୟୁନିଟ-୪, ନୂଆପଲ୍ଲୀ, ଡେଲଟା, ଆଇଗିଣିଆ, ଡମଣା, ପଳାଶୁଣି, ସୁନ୍ଦରପଦାରେ ଆମିଷ ଦୋକାନରେ ଭିଡ ଜମିଛିବ । ଆମିଷ ଦୋକାନରେ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି । ଆମିଷ ଦୋକାନ ଚାରିପଟ ସଫା ରଖିବାକୁ କୁହାଯାଇଛି । ମାଂସ ଦୋକାନରୁ ବାହାରୁଥିବା ବର୍ଜ୍ୟ ଡଷ୍ଟବିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.