Latest Odisha News

ରେଳ ବିଭାଗରେ ବଡ ଦୁର୍ନୀତିର ପର୍ଦ୍ଦାଫାସ; ଉଚିତ ଦାମ ଠାରୁ ୨୫ ରୁ ୪୦% ଅଧିକ ମୂଲ୍ୟରେ କିଣା ହୋଇଛି ଡିଜେଲ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ହାଇସ୍ପିଡ୍ ଡିଜେଲ୍ କିଣିବାକୁ ନେଇ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଭିଜିଲାନ୍ସ ବିଭାଗରେ ରୁଟିନ ଚେକ୍‌ରେ ଏହି ଦୁର୍ନୀତିର ଖୁଲାସା ହୋଇଛି। ଭାରତୀୟ ରେଳବାଇ ପକ୍ଷରୁ ଦେଶର ତୈଳ କମ୍ପାନୀଗୁଡ଼ିକ ଠାରୁ କିଣାଯାଇଥିବା ହାଇସ୍ପିଡ୍ ଡିଜେଲରେ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ଏନେଇ ‘ଦ ହିନ୍ଦୁ’ରେ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ରେଳବାଇ ସୂତ୍ରରୁ କୁହାଯାଇଛି ଯେ ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଳବାଇ ପକ୍ଷରୁ ହାଇସ୍ପିଡ୍ ଡିଜେଲ୍ କିଣାର ଏକ ଅଡିଟ୍‌ ହୋଇଥିଲା। ଏଥିରେ ୨୦୨୨ ଜାନୁଆରୀ ରୁ ସେପ୍ଟେମ୍ବର ମଧ୍ୟରେ ରିପୋର୍ଟର ଅଡିଟ୍ କରାଯାଇଥିଲା। ଏଥିରେ ତେଲ କିଣିବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ଓ ଭାରତ ପେଟ୍ରୋଲିୟମ କର୍ପୋରସେନ ଲିମିଟେଡ୍‌କୁ ୨୪୩ କୋଟିର ଅତିରିକ୍ତ ଟଙ୍କା ପେମେଣ୍ଟ କରାଯାଇଛି ବୋଲି ଜଣାପଡ଼ିଛି।

ତଦନ୍ତରେ ଦୁର୍ନୀତି ସାମ୍ନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ଘଟଣା ବିଷୟରେ ରେଳବାଇ ବୋର୍ଡକୁ ଅବଗତ କରିଛି। ଅତିରିକ୍ତ ପେମେଣ୍ଟର ଆଦାୟ ପାଇଁ ଉତ୍ତ ପୂର୍ବ ରେଳବାଇର ପ୍ରମୁଖ ଆର୍ଥିକ ଉପଦେଷ୍ଟା ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ରେଳବାଇର ଅନ୍ୟ ଜୋନ୍‌ରେ ଏଭଳି ଦୁର୍ନୀତି ହୋଇଛି କି ନା ତାହା ଜାଞ୍ଚ କରିବାକୁ ଭିଜିଲାନ୍ସ କହିବା ସହିତ ଆଗକୁ ଯେମିତି ଏଭଳି ନ ହୁଏ ଏଥିପାଇଁ ବିଧିବଧ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି।

ଭିଜିଲାନ୍ସ ସତର୍କ କରାଇବା ପରେ ଅନ୍ୟ ୧୬ଟି ରେଳବାଇ ଜୋନ୍‌କୁ ନେଇ ପ୍ରଶ୍ନ ଉଠିଛି। କିଛି ଜୋନ୍‌ରେ ଏଭଳି ଦୁର୍ନୀତି ହୋଇଥିବା ଖବର ମିଳିଛି ବୋଲି ରେଳବାଇ ଅଫିସର କହିଛନ୍ତି। ସମସ୍ତଙ୍କର ଅଡି୍ କରି ଅତିରିକ୍ତ ପେମେଣ୍ଟ ଫେରାଇ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି।

ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଳବାଇ ପକ୍ଷରୁ ପାଞ୍ଚ ଜିଭିଜନରେ ଜିଜେଲ ଇଞ୍ଜିନ ଟ୍ରେନ୍ ଚାଲୁଛି। ତେଣୁ ବହୁସଂଖ୍ୟାରେ ହାଇସ୍ପିଡ୍ ଡିଜେଲ୍ କିଣାଯାଉଛି। ଭିଜିଲାନ୍ସ ବିଭାଗ ରେଳବାଇ ବୋର୍ଡକୁ ଲେଖିଥିବା ଚିଠିରେ କହିଛି ଯେ ତୈଳ କମ୍ପାନୀଗୁଡ଼ିକର ବିଲକୁ ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ତେଲ ପାଇଁ ଆଦାୟ କରାଯାଇଥିବା ଟଙ୍କା ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ ୨୫ ରୁ ୪୦ ପ୍ରତିଶତ ଅଧିକ। ଏଥିପାଇଁ ରେଳବାଇକୁ ଦିଆଯାଉଥିବା ତେଲର ଦାମ  ହୁ ହୁ ହୋଇ ବଢ଼ିଯାଉଛି ବୋଲି ଭିଜିଲାନ୍ସ ତା ରିପୋର୍ଟରେ କହିଛି।

Comments are closed.