ସମ୍ବଲପୁର:ଜମନକିରା ଥାନା ପାଲୋଖମନ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ। ନିଆଁ ଫୁଁଙ୍କା ଲୁହା ନଳରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ବାମୀ । ପରକୀୟା ପ୍ରୀତି ସନ୍ଦେହରୁ ହତ୍ୟା କରାଯାଇଥିବା ଜଣାପଡିଛି।
ଖବରମୁତାବକ, ମଙ୍ଗଳବାର ରାତି ୭ଟା ୩୦ରେ ସ୍ତ୍ରୀ ମମତା ମାଝୀ (୫୦) ଘର ଭିତରେ ଅନ୍ୟ କାହାକୁ ଏକ ମୋବାଇଲ ଫୋନରେ କଥାବାର୍ତ୍ତା କରୁଥିଲେ। ଘର ବାହାରେ ଥିବା ସ୍ବାମୀ ଶ୍ରୀକର ମମତାଙ୍କୁ ରନ୍ଧାବଢ଼ା କରିବାକୁ କହିଥିଲେ। ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ସ୍ଵାମୀ ଶ୍ରୀକର୍ ଚୂଲି ପାଖରେ ଥିବା ଏକ ନିଆଁ ଫୁଁଙ୍କା ଲୁହା ନଳକୁ ଧରି ସ୍ତ୍ରୀ ମୁଣ୍ଡରେ ଜୋର୍ ରେ ବାଡ଼େଇ ଦେବାରୁ ଘଟଣା ସ୍ଥଳରେ ହିଁ ମମତା ଟଳି ପଡ଼ିଥିଲେ। କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଆଜି ସକାଳେ ମମତା ଗାଁରେ ଦେଖା ନ ଦେବାରୁ ସ୍ବାମୀ ଶ୍ରୀକରଙ୍କୁ କିଛି ଗାଁ ଲୋକ ପଚାରି ଥିଲେ। ରାତିରେ ସ୍ତ୍ରୀଙ୍କୁ ମାରି ଦେଇଥିବା କହିବାରୁ ଘଟଣା ବିଷୟରେ ଜଣା ପଡ଼ିଥିଲା।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Comments are closed.