ହାଇଦ୍ରାବାଦ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ତାଙ୍କୁ ମିଳିଛି ଜାମିନ। ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ତେଲଙ୍ଗାନା ହାଇକୋର୍ଟରୁ ପାଇଛନ୍ତି ଅନ୍ତରୀଣ ଜାମିନ। ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ମଧ୍ୟ ମୃତ ମହିଳାଙ୍କ ସ୍ୱାମୀ ମାମଲା ପ୍ରତ୍ୟାହାର କରି ନେବା ପ୍ରସଙ୍ଗ ଚର୍ଚ୍ଚା ପାଲଟିଛି। ମୃତ ମହିଳାଙ୍କ ସ୍ବାମୀ ମାମଲା ପ୍ରତ୍ୟାହାର କରିବ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା, ଅଲ୍ଲୁଙ୍କ ‘ଲୋକ ସଂପର୍କ ଟିମ୍’ ଦାବି କରିଛି।
ମୁଁ ମାମଲା ଉଠାଇ ନେବାକୁ ପ୍ରସ୍ତୁତ ଅଛି ବୋଲି ମୃତ ରେବତୀ(୩୯)ଙ୍କ ସ୍ୱାମୀ ଭାସ୍କର କହୁଥିବା ଶୁଣିବାକୁ ମିଳିଛି। ସେ କାଳେ କହିଛନ୍ତି, ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିବା କଥା ମୁଁ ଜାଣି ନଥିଲି। ଯେଉଁ ଦଳାଚକଟାରେ ମୋ ପତ୍ନୀଙ୍କ ମୃତ୍ୟୁ ଘଟିଛି ସେଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି ଭାସ୍କର କହିଛନ୍ତି।
ପ୍ରକାଶ ଥାଉକି, ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରି ଚିକ୍କଡପଲ୍ଲୀ ଥାନାକୁ ନବ ପରେ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲା। ପରେ ଅଲ୍ଲୁଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। ତେବେ ଗିରଫର ୫ ଘଣ୍ଟା ପରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ତେଲଙ୍ଗାନା ହାଇକୋର୍ଟ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ତଳକୋର୍ଟର ନିର୍ଦ୍ଦେଶରେ ଆଜି ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ଜେଲକୁ ନେଇଥିଲା ହାଇଦ୍ରାବାଦ୍ ପୋଲିସ୍ । ଆଉ ଏବେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛି ।
ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ସ୍କ୍ରିନିଂ ଅବସରରେ ସାମିଲ ହୋଇଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ମାତ୍ରାଧିକ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା ଓ ଦଳଚକଟା ହୋଇଥିଲା। ଏହି ସମୟରେ ତଳେ ପଡ଼ି ଅଣନିଃଶ୍ୱାସୀ ହୋଇଯାଇଥିଲେ ୩୯ ବର୍ଷୀୟା ମହିଳା ରେବତୀ। ସେ ଓ ତାଙ୍କର ୮ ବର୍ଷର ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରେବତୀଙ୍କର ମୃତ୍ୟୁ ହୋଇଯାଇଥିଲା।